Latest Odisha News

ରୁଷ ପର୍ଯ୍ଯଟକ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଏନଏଚଆରସି ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଜଣେ ସାଂସଦଙ୍କ ସମେତ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରି ରାୟଗଡା ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ପାଭେଲ ଆଣ୍ଟୋଭ (୬୫) ଓ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁ ଏବଂ ମାମଲାର ତଦନ୍ତର ସ୍ଥିତି ନେଇ ୪ ସପ୍ତାହ ମଧ୍ୟରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ରିପୋର୍ଟ ଦାଖଲ କରିବାକୁ ଏନ୍ଏଚ୍ଆରସି ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଓଡ଼ିଶା କ୍ରାଇମବ୍ରାଞ୍ଚର ଏକ ଟିମ୍ ରାୟଗଡ଼ାରେ ଡେରା ପକାଇ ତଦନ୍ତକୁ ଜୋରଦାର କରିବା ସହ ଋଷିଆ ନାଗରିକଙ୍କ ମୃତ୍ୟୁର ରହସ୍ୟ ଖୋଲିବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। କ୍ରାଇମବ୍ରାଞ୍ଚ ଡିଏସପି ସରୋଜ ମହନ୍ତଙ୍କ ନେତୃତ୍ୱରେ ପର୍ଯ୍ୟଟକମାନେ ରହୁଥିବା ହୋଟେଲକୁ ଯାଇ ଏ ସମ୍ପର୍କରେ ହୋଟେଲ କର୍ମଚାରୀ ଓ ଅନ୍ୟମାନଙ୍କୁ ପଚରାଉଚରା କରିଥିଲେ।
ଅନ୍ୟପକ୍ଷରେ ଓଡ଼ିଶା ପୁଲିସ ଡିଜି ସୁନୀଲ ବଂଶଲ କହିଛନ୍ତି ଯେ, ହତ୍ୟାକାଣ୍ଡରେ କୌଣସି ଷଡ଼ୟନ୍ତ୍ରର ଆଭାସ ମିଳିନାହିଁ। ତଦନ୍ତରେ ଯୋଗ୍ୟ ଓ ବଛାବଛା ଅଧିକାରୀ ନିୟୋଜିତ ରହିଛନ୍ତି।

ସୂଚନାଯୋଗ୍ୟ, ୪ ଜଣ ରୁଷୀୟ ନାଗରିକ ଓଡ଼ିଶା ଆସି କନ୍ଧମାଳ ଜିଲ୍ଲା ଗସ୍ତ କରିଥିଲେ। ପରେ ସେମାନେ ରାୟଗଡା ଗସ୍ତ କରି ୨୦୨୨ ଡିସେମ୍ବର ୨୧ରେ ଏକ ହୋଟେଲରେ ରହିଥିଲେ। ରହସ୍ୟମୟ ସ୍ଥିତିରେ ଡିସେମ୍ବର ୨୨ରେ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଶରୀର ଚାରିପଟେ ମଦ ବୋତଲ ଘେରି ରହିଥିବାରୁ ଅଧିକ ମଦ ପିଇବା ଯୋଗୁଁ ଭ୍ଲାଦିମିରଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି, ଦୁଇ ଦିନ ପରେ ଅର୍ଥାତ୍ ଡିସେମ୍ବର ୨୪ ତାରିଖରେ ତାଙ୍କ ବନ୍ଧୁ ପାଭେଲଙ୍କ ମୃତଦେହ ମିଳିଥିଲା। ସେ ଭ୍ଲାଦିମିରଙ୍କ ଜଣେ ଭଲ ବନ୍ଧୁ ଥିଲେ ଏବଂ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥିଲେ ବୋଲି ରିପୋର୍ଟରେ କୁହାଯାଇଛି। ତେଣୁ ସେ ହୋଟେଲ୍ ବାରଣ୍ଡାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ହେଲେ ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପାଭେଲଙ୍କ ମର ଶରୀରରୁ କୌଣସି ପ୍ରକାରର ରକ୍ତ ବାହାରିବା କିମ୍ବା କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିନଥିଲା।

ଅପରପକ୍ଷରେ ପାଭେଲଙ୍କ ଅନ୍ତିମ ସଂସ୍କାର ତରବରିଆ ଭାବେ କରାଯାଇଛି। ସେ ଓ ତାଙ୍କ ସାଙ୍ଗ ଖ୍ରୀଷ୍ଟିଆନ ହୋଇଥିବାରୁ ଉଭୟଙ୍କୁ କବର ଦେବା ପରିବର୍ତ୍ତେ ହିନ୍ଦୁ ରୀତିନୀତିରେ ଅନ୍ତିମ ସଂସ୍କାର କରାଯାଇଥିବାରୁ ବିବାଦ ଦେଖାଦେଇଛି।

 

Comments are closed.