Latest Odisha News

BREAKING NEWS

ଆଜିବି ବଞ୍ଚିଛି ପରମ୍ପରା; ଦଶହରାରେ ହେଉଛି ନିଆରା ବଳଦ ପ୍ରତିଯୋଗିତା

ଯାଜପୁର: ଶାରଦୀୟ ଦୁର୍ଗାପୂଜାକୁ ସାରାଦେଶ ମହାଆଡ଼ମ୍ବରରେ ପାଳନ କରୁଥୁବା ବେଳେ ଆଜିବି କିଛି ଗାଁରେ ବଞ୍ଚି ରହିଛି ଏହାର ପାରମ୍ପରିକ ରୀତିନୀତି ।

ଦୁର୍ଗାପୂଜାରେ ଯାଜପୁର ସହରର ଗଳିକନ୍ଦି ଭଳିକି ଭଳି ଆଲୋକମାଳାରେ ସଜେଇ ହୋଇ ଝଲସୁଛି । ଛକଛକରେ ମାଆଙ୍କ ମେଢ଼ ସାଙ୍ଗକୁ ସୁଉଚ୍ଚ ତୋରଣ ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । କିନ୍ତୁ ସହରର ଏହି ଆଲୋକମାଳା ଭିତରେ ହଜିଯାଇନାହିଁ ପାରମ୍ପରିକ ଦୁର୍ଗାପୂଜାର ସଂସ୍କୃତି ।

ଯାଜପୁର ଜିଲ୍ଲା କୋରାଇ ବ୍ଲକର ଶଙ୍ଖଚିଲା ଗାଁରେ ଦଶହରା ଦିନ ଆୟୋଜିତ ହୁଏ ‘ବଳଦ ପ୍ରତିଯୋଗିତା’। ଯାହାକି ସଂପୁର୍ଣ୍ଣ ନିଆରା । ଏହି ପରମ୍ପରା ଗତ ୫୫ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ବିଭିନ୍ନ ଗାଁ ଗାଁ ମଧ୍ୟରେ ଭାଈଚାରା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସ୍ଥାନୀୟ ଦୂର୍ଗାପୂଜା କମିଟି ଆୟୋଜନ କରିଆସୁଛି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହାକୁ ଦେଖିବାକୁ ଜିଲ୍ଳା ତଥା ଜିଲ୍ଳା ବାହାରୁ ହଜାର ହଜାର ଦର୍ଶକଙ୍କ ଭିଡ ଏଠାରେ ଜମିଥାଏ ।

ଦଶହରା ଦିନ ଆୟୋଜିତ ହେଉଥିବା ଏହି ବଳଦ ପ୍ରତିଯୋଗିତା ପାଇଁ ଆଖପାଖ ଅଞ୍ଚଳରୁ ବଳଦ ଗୁଡିକୁ ସୁସଜ୍ଜିତ କରି ଅଣିଥାନ୍ତି ତାଙ୍କ ମାଲିକମାନେ । ପରେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ।

ପ୍ରତିଯୋଗିତାର ନିୟମ:

ପ୍ରଥମେ ବିଭିନ୍ନ ସ୍ଥାନରୁ ଆସିଥିବା ସୁସଜ୍ଜିତ ବଳଦ ଗୁଡିକର ପଞ୍ଜିକରଣ କରାଯାଇଥାଏ । ପରେ ବଳଦର ଚେହେରା, ଚାଲିଚଳଣ, ସାଜସଜ୍ମା, ଚାଳକର ବେଶଭୁଷାକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଥାଏ ।

ବିଚାରକଙ୍କ ସାମ୍ନାରେ ବଳଦଙ୍କୁ ୭ ଥର ପ୍ରଦର୍ଶିତ କରାଯାଇଥାଏ । ମୋଟ ୧୦୦ ମାର୍କ ମଧ୍ୟରୁ ସର୍ବାଧିକ ନମ୍ବର ରଖିଥିବା ବଳଦକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥାଏ ।

ଏଥିସହିତ ସମସ୍ତ ପ୍ରତିଯୋଗୀଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଏ । ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ବଳଦଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରାଯାଇଥାଏ ।

ପ୍ରତିଯୋଗିତା ସରିବା ପରେ ବଳଦ ଗୁଡିକୁ ନେଇ ଗାଁ ପରିକ୍ରମା କରାଯାଇଥାଏ ।

ଏହାବ୍ୟତୀତ, ଏହି ବଳଦ ଯାତ୍ରା କେନ୍ଦୁଝର ଜିଲ୍ଲାର କେଶଦୁରାପାଳ, ଢେଙ୍କାନାଳର ଭୁବନ ଓ ଭଦ୍ରକ ଜିଲ୍ଲାର ଅନ୍ନପାଳ ଏବଂ ଧାମନଗରଠାରେ ମଧ୍ୟ ଦଶହରା ଅବସରରେ ଅନୁଷ୍ଠିତ ହୋଇଥାଏ ।

Leave A Reply

Your email address will not be published.