ମୁମ୍ବାଇ : ପୁଣି ଚିନ୍ତା ବଢ଼ାଇଲା କରୋନା ଭାଇରସ୍ । ଭ୍ୟାକସିନ ମିଳିବା ପରେ ଚାଲିଛି ଟିକାକରଣ । ହେଲେ ମହାମାରୀ କରୋନା ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ରାଜ୍ୟରେ ଲଗାତର ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଉଦ୍ଧବ ଠାକରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସଂକ୍ରମଣକୁ ନଜରରେ ରଖି ଓ୍ବାର୍ଦ୍ଧା ଜିଲ୍ଲାରେ ଶନିବାର ରାତି ୮ରୁ ସୋମବାର ସକାଳ ୮ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର।
କର୍ଫ୍ୟୁ ସମୟରେ ମେଡିକାଲ ଷ୍ଟୋର ଏବଂ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ଅନ୍ୟମାନଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ୮ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଛି । କରୋନା ମହାମାରୀକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । ଏହାସହ ଅମରାବତୀରେ ସପ୍ତାହନ୍ତ ଲକ୍ଡାଉନ୍ ଏବଂ ୟବତମାଲରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । କରୋନା ଗାଇଡଲାଇନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
Comments are closed.