ରାଜ୍ୟରେ ଅଧିକ କଡ଼ାକଡ଼ି ହେବ ନାଇଟ୍ କର୍ଫ୍ୟୁ, କାମ ନଥାଇ ବାହାରିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ । ବର୍ତ୍ତମାନ ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏ ଏନଫୋର୍ସମେଣ୍ଟ ଅଧିକ କଡ଼ାକଡ଼ି କରାଯାଉଛି । ପଡୋଶୀ ଛତିଶଗଡ଼ରୁ ସୀମାବର୍ତ୍ତି ଜିଲ୍ଲାକୁ ଆସୁଥିବା ଲୋକଙ୍କ ବାବଦାରେ ଅନୁଧ୍ୟାନ କରାଯାଉଛି । ଏନେଇ ଜିଲ୍ଲାପାଳ ଓ ପୋଲିସ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବରିଷ୍ଠ ଅଧିକାରୀମାନେ ପଶ୍ଚିମ ଓଡ଼ିଶା ଗସ୍ତ କରୁଛନ୍ତି ।

ସେପଟେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ନାଇଟ କର୍ଫ୍ୟୁ ସଂକ୍ରମଣ ରୋକିବାର ଏକ ମାଧ୍ୟମ । ରାତିରେ  କ୍ଳବ ଓ ପାର୍ଟିରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାଇରସ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ କରୁଛି । ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାର ଲୋକମାନେ ଯାତାୟାତ ଅଧିକ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏବେ ଅଧିକ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ।