ପ୍ୟାରିସ୍: ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି । ସେ ସର୍ବସମ୍ମତି କ୍ରମେ ଆଇଓସିର ସଦସ୍ୟା ଭାବରେ ନିର୍ବାଚିତ ହୋଇଛନ୍ତି । ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି ଏବଂ ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ରହିଛି, ଅର୍ଥାତ୍ ୧୦୦ ପ୍ରତିଶତ ସମର୍ଥନ । ୨୦୧୬ରେ ରିଓ ଡି ଜେନେରିଓ ଅଲିମ୍ପିକ୍ ଗେମ୍ସରେ ପ୍ରଥମ ଥର ପାଇଁ ନୀତା ଅମ୍ବାନୀ ଆଇଓସି ସଦସ୍ୟା ଭାବରେ ନିର୍ବାଚିତ ହୋଇଥିଲେ । ସେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଅଟନ୍ତି ।
ପୁନଃ ନିର୍ବାଚିତ ହେବା ନେଇ ନୀତା ଅମ୍ବାନୀ କହିଛନ୍ତି,ଆଇଓସିର ସଦସ୍ୟା ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ମୁଁ ଅତ୍ୟନ୍ତ ସମ୍ମାନିତ ମନେକରୁଛି । ମୁଁ ସଭାପତି ବାକ ଏବଂ ଆଇଓସିରେ ଥିବା ମୋର ସମସ୍ତ ସହକର୍ମୀଙ୍କୁ ମୋ ଉପରେ ବିଶ୍ୱାସ ଏବଂ ଭରସା ରଖିଥିବାରୁ ଧନ୍ୟବାଦ ଜଣାଉଛି । ଏହି ପୁନଃ ନିର୍ବାଚନ କେବଳ ମୋ ପାଇଁ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ନୁହେଁ, ବରଂ ବିଶ୍ୱ କ୍ରୀଡ଼ା କ୍ଷେତ୍ରରେ ଭାରତର ବଢୁଥିବା ପ୍ରଭାବକୁ ମଧ୍ୟ ଦର୍ଶାଉଛି । ମୁଁ ପ୍ରତିଟି ଭାରତୀୟଙ୍କ ସହିତ ଏହି ଖୁସି ଓ ଗର୍ବର ମୁହୂର୍ତ୍ତ ବାଣ୍ଟିବା ସହ ଭାରତ ଏବଂ ସାରା ଦୁନିଆରେ ଅଲିମ୍ପିକ ଆନ୍ଦୋଳନକୁ ଆହୁରି ମଜଭୁତ କରିବା ପାଇଁ ତତ୍ପର ରହିଛି ।
ସୂଚନାଯୋଗ୍ୟ ଯେ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଭାରତ ୪୦ ବର୍ଷ ଅପେକ୍ଷା ପରେ ଆଇଓସିର ବାର୍ଷିକ ବୈଠକ ଆୟୋଜନ କରିଥିଲା । ୨୦୨୩ ମସିହାରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଏହା ସଫଳତାର ସହିତ ଆୟୋଜିତ କରାଯାଇଥିଲା । ପ୍ରଥମ ଥର ପାଇଁ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅଲିମ୍ପିକ୍ସରେ ଇଣ୍ଡିଆ ହାଉସ୍ ନିର୍ମାଣ କରାଯାଇଛି । ଯାହା ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି, ସମର୍ଥକ ଏବଂ ଦର୍ଶକଙ୍କ ପାଇଁ ଭାରତଠାରୁ ଦୂରରେ ଥିବା ଘର ପରି ହୋଇଛି ।
Comments are closed.