Latest Odisha News

ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର

ନୂଆଦିଲ୍ଲୀ: ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ହଠାତ୍ ଇସ୍ତଫା ଦେବା ପଛର କାରଣ ଜଣାପଡିନାହିଁ ।  ଦେଶର ବରିଷ୍ଠ ଅର୍ଥନୀତିଜ୍ଞ ଭାବରେ ଜଣାଶୁଣା ରାଜୀବ କୁମାର ୨୦୧୭ ଅଗଷ୍ଟରେ ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ତାଙ୍କ ସ୍ଥାନରେ ଅରବିନ୍ଦ ପାନଗାରିଆ ଥିଲେ । ପାନଗାରିଆ ଏବେ ଏକ ବିଶ୍ୱବିଦ୍ୟାଳୟର କୁଳପତି ରହିଛନ୍ତି।

ରାଜୀବ କୁମାରଙ୍କ ଉତ୍ତରାଧିକାରୀ ଭାବେ ସୁମନ ବେର ନିଯୁକ୍ତ ହୋଇଛନ୍ତି। ସୁମନ ବେର ୨୦୦୧ରୁ ୨୦୧୧ ଯାଏ ୧୦ ବର୍ଷ ପାଇଁ ନ୍ୟାସନାଲ କାଉନସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ୍ଚର ମହାନିର୍ଦ୍ଦେଶକ ଥିଲେ। ଏହି ସଂସ୍ଥା ଦେଶର ଅନ୍ୟତମ ପ୍ରମୁଖ ସ୍ୱାଧୀନ ନୀତି ଗବେଷଣା ଅନୁଷ୍ଠାନ । ଦିଲ୍ଲୀ ମୁଖ୍ୟାଳୟସ୍ଥିତ ସେଣ୍ଟର ଫର୍ ପଲିସି ରିସର୍ଚ୍ଚରେ ଏବେ ଜଣେ ଗେଷ୍ଟ ଫ୍ୟାକଲଟି ଭାବେ ସୁମନ ନିୟୋଜିତ ଅଛନ୍ତି । ସେ ଓ୍ୱାଶିଂଟନ ଡିସିରେ ଉଡ୍ରୋ ବିଲସନ ଇଣ୍ଟରନ୍ୟାସନାଲ ସେଣ୍ଟର ଫର୍ ସ୍କଲର୍ସର ଏସିଆର ଗ୍ଲୋବାଲ ଫେଲୋ ରହିଛନ୍ତି।

ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ, ଭାରତର ପରିସଂଖ୍ୟାନ ଆୟୋଗ ଏବଂ ମୁଦ୍ରାନୀତି ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଷୟିକ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମଧ୍ୟ କାମ କରିଥିଲେ।

ଗତବର୍ଷ ଡିସେମ୍ବର ୧୬ରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଜୀବ କୁମାର । ଏହି ସମୟରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଓଡ଼ିଶାକୁ ପ୍ରଶଂସା କରି ସେ କହିଥିଲେ ଯେ ୨୦୧୧-୨୦୨୦ ମଧ୍ୟରେ ଓଡ଼ିଶାରେ ମୁଣ୍ଡ ପିଛା ଆୟ ବଢ଼ିଛି। ପୁଷ୍ଟି କ୍ଷେତ୍ରରେ ରାଜ୍ୟ ଭଲ କାମ କରିଛି। ବିକାଶ ପ୍ରକ୍ରିୟାକୁ କିପରି ତ୍ୱରାନ୍ୱିତ କରାଯାଇପାରିବ ଓ ଆକାଂକ୍ଷୀ ଜିଲ୍ଲାରେ ଭଲ କାମ ପାଇଁ କି କି ପଦକ୍ଷେପ ନିଆଯାଇପାରିବ, ସେ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ।

ରାଜୀବ କୁମାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡି ଫିଲ୍ ଏବଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଛନ୍ତି। ସେଣ୍ଟର ଫର୍ ପଲିସି ରିସର୍ଚ୍ଚ (ସିପିଆର୍)ର ଜଣେ ବରିଷ୍ଠ ସଦସ୍ୟ ସେ ଥିଲେ।

Leave A Reply

Your email address will not be published.