ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକା ଲଢ଼ିବନି ବିଜେପି। ଏନଡିଏ ମେଣ୍ଚର ଦୁଇ ଦଳ ଜେଡିୟୁ ଓ ଲୋକ ଜନ ଶକ୍ତି ପାର୍ଟିକୁ ନେଇ ନିର୍ବାଚନ ଲଢ଼ିବ ବିଜେପି। ଏହି ଦୁଇ ଦଳକୁ ବିଜେପି ଗୋଟିଏ ଗୋଟିଏ ଆସନ ଦେଇଛି । ନୀତୀଶ କୁମାରଙ୍କ ଦଳକୁ ଦିଲ୍ଲୀ ପୂର୍ବାଞ୍ଚଳର ଏକ ଭଲ ଆସନରେ ନିର୍ବାଚନ ଲଢ଼ିବା ପାଇଁ ବିଜେପି ସୁଯୋଗ ଦେଇଛି। ଜେଡିୟୁକୁ ବୁରାରି ଓ ଏଲଜେପିକୁ ଦେବଲି ଆସନରୁ ଟିକେଟ ମିଳିଛି। ସିଟ ମିଳିବା ପରେ ଗୁରବାର ଶୈଳେନ୍ଦ୍ର କୁମାରଙ୍କୁ ପ୍ରାର୍ଥୀ କରିଛି ଜେଡିୟୁ। ଏହା ପୂର୍ବରୁ ବିଜେପି ଦିଲ୍ଲୀର 70 ଆସନରୁ 68 ଆସନରେ ପ୍ରାର୍ଥା ଘୋଷଣା କରିସାରିଛି। ଗୋଟିଏ ଆସନରେ ଜେଡିୟୁ ପ୍ରାର୍ଥୀ ଘୋଷଣା କରିବା ପରେ ଆଉ ଗୋଟିଏ ଆସନରେ ଏଲଜେପି ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି।
ବିଜେପି ପକ୍ଷରୁ ଜାତୀୟ ମହାସଚିବ ଅରୁଣ ସିଂହ ଗୁରୁବାର ଏକ ଚିଠି ଜାରି କରି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଜେଡିୟୁ ଓ ଏଲଜେପିକୁ ଦୁଇଟି ଆସନ ଦିଆଯିବା ଉପରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଧାନସଭା ଆସନ ବୁରାରିରୁ ଏନଡିଏ ଓ ଦେବଲି ଆସନରୁ ଏଲଜେପି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଏହି ଦୁଇ ଦଳକୁ ସମର୍ଥନ କରିବ ବିଜେପି।
ସୂଚନା ଥାଉକି, ଦିଲ୍ଲୀର ସମସ୍ତ ଆସନରେ ଫେବୃଆରୀ 5ରେ ଭୋଟିଂ ହେବ ଏବଂ 8ରେ ଫଳାଫଳ ଘୋଷଣା କରାଯିବ। ରାଜଧାନୀରେ ଏଥର ଏନଡିଏ, ଆପ ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବ। ଗତ ଲୋକସଭା ନିର୍ବାଚନରେ ଏକାଠି ନିର୍ବାଚନ ଲଢ଼ିଥିବା ଆପ ଓ କଂଗ୍ରେସ ଏ ନିର୍ବାଚନରେ କିନ୍ତୁ ଅଲଗା ଅଲଗା ହୋଇ ନିର୍ବାଚନ ଲଢୁଛନ୍ତି। 10 ବର୍ଷର ଆଣ୍ଟିଇକମ୍ୱେନ୍ସିର ସାମ୍ନା କରୁଥିବା ଆପ 2020 ବିଧାନସଭା ନିର୍ବାଚନରେ 70 ଆସନରୁ 62 ଆସନରେ ବମ୍ପର ବିଜୟ ହୋଇଥିଲା। ସେହିଭଳି 2015ରେ ଆପକୁ ମିଳିଥିଲା 67 ଆସନ। ବିଜେପି ରାଜଧାନୀ ଦିଲ୍ଲୀରେ 27 ବର୍ଷ ହେବ କ୍ଷମତାରୁ ଦୂରେଇ ରହିଛି।