Latest Odisha News

BREAKING NEWS

ଇଣ୍ଡିଆକୁ ଭାରତ ବୋଲି ଲେଖିବା ପ୍ରସଙ୍ଗରେ ଏଯାବତ କୌଣସି ନିଷ୍ପତ୍ତି ନିଆଯାଇନି: ଏନସିଇଆରଟି

ନୂଆଦିଲ୍ଲୀ: ସ୍କୁଲ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ନୂଆ ପାଠ୍ୟପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ବ୍ୟବହାର କରିବାକୁ ସୁପାରିସ କରିଛି। କମିଟି ସ୍କୁଲ ପାଠ୍ୟକ୍ରମରେ ହିନ୍ଦୁ ଯୋଦ୍ଧାଙ୍କ ବିଜୟ କାହାଣୀକୁ ମଧ୍ୟ ସାମିଲ କରିବାକୁ ପରାମର୍ଶ ଦେଇଛି। ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଥିବା ବେଳେ ଏନସିଇଆରଟି କହିଛି, କମିଟିର ସୁପାରିସ ଉପରେ ଏଯାଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

କମିଟି ପକ୍ଷରୁ ଡ, ସି ଆଇ ଆଇଜାକଙ୍କ ନେତୃତ୍ୱରେ ପାଠ୍ୟକ୍ରମରେ ପ୍ରାଚୀନ ଇତିହାସ ପରିବର୍ତ୍ତେ ଶାସ୍ତ୍ରୀୟ ଇତିହାସର ପ୍ରଚଳନ ଏବଂ ସମସ୍ତ ବିଷୟ ପାଇଁ ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ପ୍ରଣାଳୀ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ତେବେ ଏନସିଇଆରଟି ଅଧ୍ୟକ୍ଷ ଦୀନେଶ ସକଲାନୀ କହିଛନ୍ତି, ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

ଇଣ୍ଡିଆ ପରିବର୍ତ୍ତେ ‘ଭାରତ’ର ବ୍ୟବହାରକୁ ସମର୍ଥନ କରି ବିଗତ ଅନେକ ଦଶନ୍ଧି ଧରି ସଙ୍ଘ ପରିବାର ସଙ୍ଗଠନ ସହ ଘନିଷ୍ଠ ଭାବେ ଜଡ଼ିତ ଥିବା ଇସାକ୍ କହିଛନ୍ତି, ‘ଭାରତ ଏକ ପୁରୁଣା ନାମ। ଭାରତ ନାମଟି ପ୍ରାଚୀନ ଗ୍ରନ୍ଥମାନଙ୍କରେ ବ୍ୟବହୃତ ହୋଇଛି, ଯେପରିକି ବିଷ୍ଣୁ ପୁରାଣ, ଯାହା ୭,୦୦୦ ବର୍ଷ ପୁରୁଣା, ଭାରତ ଜି-୨୦ ଶିଖର ସମ୍ମିଳନୀରେ ସରକାରୀ ଭାବେ ପ୍ରକାଶ ପାଇଥିଲା ଯେତେବେଳେ ସରକାର ଇଣ୍ଡିଆର ରାଷ୍ଟ୍ରପତି ବଦଳରେ ଭାରତର ରାଷ୍ଟ୍ରପତି ନାମରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରାତ୍ରିଭୋଜନ ପାଇଁ ଆମନ୍ତ୍ରଣକାର୍ଡ ପଠାଇଥିଲେ। ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମଫଳକରେ ଇଣ୍ଡିଆ ବଦଳରେ ‘ଭାରତ’ ଲେଖାଯାଇଛି।

ଏହି ପ୍ୟାନେଲର ସୁପାରିସକୁ ନେଇ କେତେକ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଂଗ୍ରେସ ମହାସଚିବ କେସି ବେଣୁଗୋପାଳ କହିଛନ୍ତି, ସେମାନେ ଅନେକ କଥା କହୁଛନ୍ତି। ଆପଣମାନେ ଦେଖିପାରିବେ ଯେ ସେମାନେ ପାଠ୍ୟପୁସ୍ତକ, ପାଠ୍ୟକ୍ରମ, ଏବଂ ସବୁକିଛି ମାଧ୍ୟମରେ ଇଣ୍ଡିଆର ଇତିହାସକୁ କିପରି ବିକୃତ କରୁଛନ୍ତି। ଆମ ପାଇଁ ଇଣ୍ଡିଆ ଓ ଭାରତ ସମାନ।

ଏହା ପ୍ରଧାନମନ୍ତ୍ରୀଙ୍କ ଇଣ୍ଡିଆ ମେଣ୍ଟ ପ୍ରତି ଥିବା ଭୟକୁ ଦର୍ଶାଉଛି। ମେଣ୍ଟର ସହଯୋଗୀ ଆପ୍ କହିଛି, ଆମେ ତାଙ୍କୁ ନାମ ବଦଳାଇବା ପରିବର୍ତ୍ତେ ବେକାରି, ମୁଦ୍ରାସ୍ଫୀତି, ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ ଧ୍ୟାନ ଦେବାକୁ ଉଦ୍ୟମ କରାଯିବା ଉଚିତ ବୋଲି ଆପ୍ ନେତ୍ରୀ ପ୍ରିୟଙ୍କା କକ୍କର କହିଛନ୍ତି।

Comments are closed.