Latest Odisha News

BREAKING NEWS

ବିଦ୍ୟୁତ ନାହିଁ ତ’ ଭୋଟ ଦେବୁନି: ମୟୂରଭଞ୍ଜରେ ନିର୍ବାଚନ ବର୍ଜନ କରିବାକୁ ଗ୍ରାମବାସୀଙ୍କ ଧମକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ନାନ୍ଦୁରସାହି ଗ୍ରାମର ଗ୍ରାମବାସୀ ଗାଁ’ରେ ବିଦ୍ୟୁତ ସରବରାହ ସୁବିଧା ଦାବି କରି ଭୋଟ ବର୍ଜନର ଧମକ ଦେଇଛନ୍ତି । ଏଠାରେ ଆସନ୍ତା ଏପ୍ରିଲ ୨୯ ତାରିଖରେ ଭୋଟଦାନ ଅନୁଷ୍ଠିତ ହେବାକୁ ଯାଉଛି ।

ଏସମ୍ପର୍କରେ ଗ୍ରାମବାସୀମାନେ ଅଭିଯୋଗ କରି କହିଛନ୍ତି, ଅନେକ ବର୍ଷ ହେଲା ଏହି ଗ୍ରାମରେ ବିଦ୍ୟୁତ ସୁବିଧା ଲାଗି ଦାବି ହୋଇ ଆସୁଛି । ଏବେସୁଦ୍ଧା ଗ୍ରାମର ପଢୁଆ ପିଲାମାନେ ବତୀ ଡ଼ିବିରି ଜାଳି ପାଠ ପଢୁଥିବା ବେଳେ ନେତାମାନଙ୍କର ପ୍ରତିଶ୍ରୁତି ଧୁଆଁବାଣ ପରି ସାବ୍ୟସ୍ତ ହୋଇଛି । ନିର୍ବାଚନ ସମୟରେ ଗ୍ରାମକୁ ନେତାମାନେ ଆସି ବିଦ୍ୟୁତ ସୁବିଧା କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଗାଁ’ରେ ଇଲେକ୍ଟ୍ରି ଏଯାଏଁ ପହଞ୍ଚି ପାରିନାହିଁ ।

ତେବେ ଚର୍ଚ୍ଚାର ବିଷୟ ହେଲା, ବିଦ୍ୟୁତ ସୁବିଧା ନଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏବେ ଗାଁ’ରେ ଜଳିବା ଲାଗି ବଲବ ବଣ୍ଟନ କରାଯାଇଛି ।

ଏପରିକି ଏହି ଗ୍ରାମର ବାସିନ୍ଦାମାନେ ଚେତାବନୀ ଦେଇ କହିଛନ୍ତି, ଗ୍ରାମ ମଧ୍ୟରେ କୌଣସି ରାଜନୈତିକ ଦଳଗୁଡ଼ିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

ଇତିମଧ୍ୟରେ, ନେସ୍କୋ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କୁ ଭୋଟଦାନ କରିବାକୁ ବୁଝାଇ ଅନୁରୋଧ କରିଥିବା ବେଳେ ଗ୍ରାମରେ ବିଦ୍ୟୁତ କର୍ମଚାରୀଙ୍କ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସରବରାହ ଯୋଗାଇଦେବାକୁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ।

Leave A Reply

Your email address will not be published.