Latest Odisha News

ଖାରକିଭରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ୍ ସେନା ପଣବନ୍ଦୀ କରିଥିବା ଖବର ନାହିଁ, ସ୍ପଷ୍ଟ କଲା ଭାରତ

ନୂଆଦିଲ୍ଲୀ: ଖାରକିଭରେ ୟୁକ୍ରେନୀୟ ସେନା ଭାରତୀୟ ଛାତ୍ରଛାତ୍ରୀମାନଙ୍କର ଗୋଟାଏ ବଡ଼ ଦଳକୁ ପଣବନ୍ଦୀ କରି ରଖିଛି । ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ଏଭଳି ଅଭିଯୋଗ କରିଛି । ପ୍ରେସମିଟରେ ରୁଷ୍ ସେନାର ପ୍ରତିନିଧି ମେଜର୍‌ ଜେନେରାଲ୍‌ ଇଗୋର୍‌ କୋନାସେଙ୍କୋଭ୍‌ କହିଥିଲେ, ୟୁକ୍ରେନ୍‌ ଛାଡ଼ି ବେଲ୍‌ଗୋରୋଡ ଯିବାକୁ ଚାହୁଁଥିବା ଦଳେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନୀୟ କର୍ତ୍ତୃପକ୍ଷ ବଳପୂର୍ବକ ଅଟକ ରଖିଛନ୍ତି ।

ଖାରକିଭରେ ସେମାନଙ୍କୁ ପଣବନ୍ଦୀ ରଖାଯାଇଥିବା ଅଭିଯୋଗ କରିଥିଲା ରୁଷ୍ । ଭାରତୀୟଙ୍କର ସୁରକ୍ଷିତ ସ୍ଥାନାନ୍ତରଣ ଲାଗି ରୁଷ୍ ସଶସ୍ତ୍ର ସେନା ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ । ଭାରତ ଦେଇଥିବା ପ୍ରସ୍ତାବ ଅନୁସାରେ ସେମାନଙ୍କୁ ରୁଷର ସାମରିକ ବିମାନ କିମ୍ବା ଭାରତୀୟ ବିମାନ ଯୋଗେ ସ୍ୱଦେଶ ପଠାଇ ଦିଆଯିବ ବୋଲି କହିଥିଲା ରୁଷ୍ ।

ଏହା ପରେ ସ୍ପଷ୍ଟୀକରଣ ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ୟୁକ୍ରେନରେ ଭାରତୀୟଙ୍କୁ ପଣବନ୍ଦୀ କରି ରଖିଥିବାର କୌଣସି ଖବର ନାହିଁ । ସେଠାରୁ ଭାରତୀୟଙ୍କୁ ନିରାପଦ ଭାବରେ ବାହାର କରିବାରେ ୟୁକ୍ରେନ୍ କର୍ତ୍ତୃପକ୍ଷଙ୍କର ପୂର୍ଣ୍ଣ ସହଯୋଗ ରହିଛି । ଗତକାଲି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଖାରକିଭ୍ ଛାଡ଼ି ସାରିଛନ୍ତି ।

Comments are closed.