ନୂଆଦିଲ୍ଲୀ: ବ୍ରହ୍ମପୁତ୍ର ନଦୀ ଉପରେ ତିବ୍ଦତରେ ବିଶ୍ୱର ସର୍ବବୃହତ ଡ୍ୟାମ୍ ନିର୍ମାଣକୁ ଚୀନ ଅନୁମୋଦନ କରିଛି। ଏଥିପାଇଁ ୧୩୭ ବିଲିୟନ ଡଲାର ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ ଚୀନର ଚତୁର୍ଦ୍ଦଶ ପଞ୍ଚବାର୍ଷିକ ଯୋଜନା ଏବଂ ୨୦୩୫ ପର୍ଯ୍ୟନ୍ତ ଏହାର ଦୀର୍ଘମିଆଦୀ ବିକାଶ ରଣନୀତିର ଏକ ଅଂଶ। ୟାର୍ଲୁଙ୍ଗ ସାଙ୍ଗପୋ ନଦୀର (ବ୍ରହ୍ମପୁତ୍ରର ତିବ୍ବତୀୟ ନାମ) ତଳ ମୁଣ୍ଡରେ ନିର୍ମାଣ ହେବାକୁ ଥିବା ଏହି ପ୍ରସ୍ତାବିତ ଡ୍ୟାମ୍ ପୃଥିବୀର ସର୍ବବୃହତ ଭିତ୍ତିଭୂମି ପ୍ରକଳ୍ପ ହେବାକୁ ଯାଉଛି। ଏହା ଭାରତ ଓ ବାଂଲାଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏନେଇ ଭାରତ ଉଦବେଗ ପ୍ରକାଶ କରି କହିଛି ଯେ ଚାଇନାର ଏହି ପ୍ରକଳ୍ପ ତଳମୁଣ୍ଡ ଦେଶ ଉପରେ ପ୍ରଭାବ ପକାଇବ। ସେପଟେ ଭାରତର ଏହି ଚିନ୍ତାକୁ ନେଇ ସ୍ପଷ୍ଟିକରଣ ଦେଇଛି ଚୀନ୍ ।
ଗତକାଲି ଚୀନ ତରଫରୁ କୁହାଯାଇଛି ଯେ, ଏହି ପ୍ରକଳ୍ପ ଉପରେ ଦଶନ୍ଧି ଧରି ବିସ୍ତୃତ ଭାବରେ ଅଧ୍ୟୟନ କରାଯାଇଛି। ଏହି ପ୍ରକଳ୍ପରେ ଏହା ମଧ୍ୟ ସୁନିଶ୍ଚିତ ହୋଇଛି ଯେ ପରିବେଶର ସୁରକ୍ଷା ସହିତ ଏହାର ତଳମୁଣ୍ଡର ଦେଶ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ଅନ୍ୟପଟେ ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେ ଭାରତ-ପ୍ରଶାନ୍ତ ମହାସାଗରରେ ଦେଖିଛୁ ଯେ ଚୀନ୍ ଅନେକ ସ୍ଥାନରେ ଅପଷ୍ଟ୍ରିମ୍ ଡ୍ୟାମ୍ ନିର୍ମାଣ କରିଛି ଯାହା ବାସ୍ତବରେ ପରିବେଶକୁ କ୍ଷତି ପହଞ୍ଚାଇପାରେ। ଏହା ଡାଉନଷ୍ଟ୍ରିମ ଦେଶ ଉପରେ ଜଳବାୟୁ ପ୍ରଭାବ ପକାଇପାରେ । ସେପଟେ ଭାରତରେ ଥିବା ଚୀନ୍ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ସୀମା ପାର୍ ନଦୀର ବିକାଶ ପାଇଁ ଚୀନ୍ ସର୍ବଦା ଦାୟୀ।
ସୂଚନାଯୋଗ୍ୟ, ବ୍ରହ୍ମପୁତ୍ର ନଦୀ ଉପରେ ତିବ୍ଦତରେ ବିଶ୍ୱର ସର୍ବବୃହତ ଡ୍ୟାମ୍ ନିର୍ମାଣକୁ ଚୀନ ଅନୁମୋଦନ କରିଛି। ଏହି ଡ୍ୟାମ୍ ହିମାଳୟର ଏକ ଗଭୀର ଘାଟିରେ ନିର୍ମାଣ କରାଯିବ। ଯେଉଁଠାରେ ବ୍ରହ୍ମପୁତ୍ର ଏକ ନାଟକୀୟ ୟୁ-ଟର୍ଣ୍ଣ ନେଇ ଭାରତର ଅରୁଣାଚଳ ପ୍ରଦେଶରେ ପ୍ରବେଶ କରି ବାଂଲାଦେଶକୁ ପ୍ରବାହିତ ହେଉଛି ସେହିଠାରେ ଏହି ଡ୍ୟାମ୍ ପ୍ରସ୍ତାବିତ ହୋଇଛି। ଟେକ୍ଟୋନିକ୍ ପ୍ଲେଟ୍ ସୀମାରେ ଅବସ୍ଥିତ ଥିବାରୁ ଏହି ସ୍ଥାନ ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଅବସ୍ଥିତ। ବ୍ରହ୍ମପୁତ୍ର ଉପରେ ନିର୍ମିତ ହେବାକୁ ଥିବା ହାଇଡ୍ରୋ ପାୱାର୍ ପ୍ରକଳ୍ପକୁ ତଳିଆ ଅଞ୍ଚଳରେ ସବୁଜ ସଙ୍କେତ ମିଳିଥିବା ଜଣାପଡିଛି। ତେବେ ଡ୍ରାଗନର ଏହି ଡ୍ୟାମ୍ ଏବେ ଭାରତ-ବାଂଲାଦେଶର ପାଇଁ ପାଲଟିଛି ଚିନ୍ତାର କାରଣ ।
ତେବେ ଏହା ବାର୍ଷିକ ୩୦୦ ବିଲିୟନ୍ କିଲୋଓ୍ବାଟ ପ୍ରତି ଘଣ୍ଟା ବିଜୁଳି ଉତ୍ପାଦନ କରିବାର କ୍ଷମତା ରହିଛି।ଏହା ଚୀନକୁ ତିବ୍ଦତର ପୂର୍ବତନ ଅଂଶକୁ ଯୋଡିବା ନେଇ ମହତ୍ବକାଂକ୍ଷୀ ଯୋଜନାର ଅଂଶ ରହିଛି। ବ୍ରହ୍ମପୁତ୍ର ନଦୀ ତିବ୍ଦତରୁ ବାହାରି ଦକ୍ଷିଣରେ ଭାରତର ଅରୁଣାଚଳ ପ୍ରଦେଶ ଓ ଆସାମରେ ବୋହୁଛି। ଶେଷରେ ବାଂଲାଦେଶ ବାଟ ଦେଇ ବଙ୍ଗୋପ ସାଗରରେ ପହଁଞ୍ଚିଥାଏ। ଏହି ଡ୍ୟାମ୍ ଦ୍ବାରା ଭାରତ-ବାଂଲାଦେଶରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇପାରନ୍ତି।