Latest Odisha News

୩୮ ବର୍ଷ ହେଲାଣି ରାଜ୍ୟର ଏହି ଗାଁ ପାଳିନି ନୂଆବର୍ଷ…

ବାଲେଶ୍ବର: ରାତିପାହିଲେ ନୂଆବର୍ଷର ଆଗମନ । ୨୦୨୫ ପ୍ରବେଶକୁ ଧୂମଧାମରେ ପାଳନ କରିବ ପୂରା ଦେଶ । ହେଲେ ସେଠି ରାଜ୍ୟର କିଛି ଏମିତି ସ୍ଥାନ ରହିଛି, ଯେଉଁଠି ନୂଆବର୍ଷା ଆସିଲେ ଲୁମଟାଙ୍କୁରୀ ଉଠେ, ଆଖି ଭରିଯାଏ । ଆଉ ମନେପଡିଯାଏ ସେଦିନର ସେ କରାଳ ଦିନ । ଯାହାକୁ ଆଜି ବି ଭୁଲି ନାହାନ୍ତି ଗାଁ ଲୋକେ । ଆଉ ସେବେଠୁ ପ୍ରାୟ ୩୮ ବର୍ଷ ହେବ ପାଳିନାହାନ୍ତି ନୂଆବର୍ଷ ।

ଆମେ କହୁଛୁ, ବାଲେଶ୍ବର ଜିଲ୍ଲା ନୀଳଗିରି ନିକଟରେ ଥିବା ଧୋବଶିଳା ଗାଁ କଥା । ଏହି ଗାଁର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆ ବର୍ଷ ଏକ ଅଭିଶାପ ଭଳି ମନେହୁଏ । ସେଦିନ ଥିଲା ୧୯୮୬ ମସିହା ଜାନୁଆରୀ ୧ ତାରିଖ । ନୂଆବର୍ଷ ବୋଲି ଗାଁରେ ତା ପୂର୍ବଦିନରୁ ହିଁ ଉତ୍ସାହରେ ଫାଟିପଡିଥିଲା । ଡିସେମ୍ବର ୩୧ ରାତିରେ ହିଁ ବଣଭୋଜି ପାଇଁ ବାହାରି ପଡିଥିଲେ ଗାଁ ଲୋକେ । ଆଉ ଗାଡି ଯାଇଁ ପହଞ୍ଚିଥିଲା ସିଧା ହ୍ରଦଗଡ ପିକନିକ୍ ସ୍ପଟରେ । ଆଉ ମଉଜମଜଲିସ୍ କରି ତା ପରଦିନ ଅର୍ଥାତ୍ ଜାନୁଆରି ୧ରେ ଗାଡି ଫେରିଥିଲା ଗାଁ ଅଭିମୁଖେ । ହସ ଖୁସିରେ ବସଟି ଚାଲିଥାଏ । ହଠାତ୍ କେହି କିଛି ଭାବିବା ପୂର୍ବରୁ ବସଟି ଗଣ୍ଡିବେଡ ନିକଟରେ ନଈକୁ ଖସିପଡିଥିଲା । ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ । ଆଉ ସେହିଦିନ ଠାରୁ ଯେମିତି ନୂଆ ବର୍ଷ ଆସିଲେ ଗାଁ ମୁଣ୍ଡରେ ତାଟି ପଡିଯାଏ । ନା କେହି ବାହାରକୁ ବଣଭୋଜି ପାଇଁ ଯାଆନ୍ତି, ନା ଗାଁରେ ହୁଏ କୌଣସି ସେଲିବ୍ରେସନ୍ ।

ଖାଲି ସେତିକି ନୁହେଁ ମୃତକଙ୍କ ସ୍ମୃତିରେ ଗାଁ ମୁଣ୍ଡରେ ସ୍ମୃତିପୀଠ ବି ନିର୍ମାଣ କରାଯାଇଛି । ଆଉ ପ୍ରତିବର୍ଷ ନୂଆ ବର୍ଷ ଆସିଲେ ସେହିଠାରେ ହିଁ ପୂଜାର୍ଚ୍ଚନା କରନ୍ତି ଗ୍ରାଁ ଲୋକେ । ଆଉ ସେମାନଙ୍କ ସ୍ମୃତିରେ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ କରନ୍ତି । ଆଉ ସମୁଠୁ ବଡ କଥା ହେଉଛି ସେଦିନର ସେ ଘଟଣା ଏବେବି ସମସ୍ତଙ୍କ ହୃଦୟରେ କ୍ଷେତ ହୋଇ ରହିଯାଇଛି । ଆଜିର ପିଢି ବି ସେ କଥାକୁ ସମ୍ମାନ ଜଣାନ୍ତି । ଆଉ ସେମାନେ ମଧ୍ୟ ଏହିଦିନ ଗାଁ ବାହାରକୁ ନଯିବା, କୌଣସି ଭୋଜି ନକରିବାକୁ ଠିକ୍ ବୋଲି ମନେକରନ୍ତି । ଯାହା ସବୁଦିନ ପାଇଁ ସେମାନଙ୍କ ଓଠରୁ ଛଡାଇ ନେଇଛି ନୂଆବର୍ଷ ଖୁସି ।

Comments are closed.