Latest Odisha News

BREAKING NEWS

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ‘କାଳିଆ ଯୋଜନା’କୁ କେହି ବନ୍ଦ କରିପାରିବେ ନାହିଁ: ନବୀନ

ସୁନ୍ଦରଗଡ଼: “ଆପଣମାନେ କାଳିଆ ଯୋଜନା ବିଷୟରେ ସମସ୍ତେ ଜାଣନ୍ତି, ଏପର୍ଯ୍ୟନ୍ତ, ପ୍ରାୟ ୪୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ଉପକୃତ ହୋଇପାରିଛନ୍ତି । ମାତ୍ର ବିଜେପି ଏହି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଛି । ଚାଷୀମାନଙ୍କୁ ଆମେ ନ୍ୟାୟ ଦେବାରୁ ବଞ୍ଚିତ କରିବାକୁ ଚେଷ୍ଟା କରୁଛି ବିଜେପି । ମାତ୍ର ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କେହି କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହିଁ,” ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାରେ ଏକ ନିର୍ବାଚନୀ ସମାବେଶକୁ ଉଦବୋଧନ ଦେବା ଅବସରରେ ଏହା କହିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଯଦି ବିଜେଡ଼ି ପୁନର୍ବାର କ୍ଷମତାକୁ ଆସେ ତେବେ, ରାଜ୍ୟର ସମସ୍ତ କୃଷକ କାଳିଆ ଯୋଜନା ମାଧ୍ୟମରେ ୨ଟି କିସ୍ତିରେ ୧୦,୦୦୦ ଟଙ୍କା ଲେଖାଏଁ ପାଇପାରିବେ ବୋଲି ବୁଧବାର ଦିନ ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

ସେ ତାଙ୍କ ଉଦବୋଧନରେ ଆହୁରି ମଧ୍ୟ କହିଛନ୍ତି, ସୁନ୍ଦରଗଡ଼ ହେଉଛି ହକିର ଜନ୍ମସ୍ଥାନ, ଏହି ମାଟି ଅନେକ କୃତି ଖେଳାଳିଙ୍କୁ ଅନ୍ତର୍ଜାତୀୟ ମର୍ଯ୍ୟାଦା ପ୍ରଦାନ କରିପାରିଛି ।

“ଏହା ଆମ ସମସ୍ତଙ୍କ ଲାଗି ଗୌରବର କଥା ଯେ, ଆମେ ସଫଳତାର ସହିତ ବିଶ୍ୱ କପ ହକି ଆୟୋଜନ କରିପାରିଛୁ, ” ବୋଲି କହିଛନ୍ତି ନବୀନ ।

“ ମହିଳାମାନେ ହିଁ ବିକାଶ ଯାତ୍ରାର ପ୍ରକୃତ ଡ଼ବଲ୍ ଇଞ୍ଜିନ,” ବୋଲି ବିଜେଡ଼ି ସୁପ୍ରିମୋ ଏହି ନିର୍ବାଚନୀ ସଭାରେ କହିଛନ୍ତି ।

ବିଜୁ ଜନତା ଦଳ ଓଡ଼ିଶାର ମହିଳାମାନଙ୍କୁ ତାଙ୍କର ଅଧିକାର ପ୍ରତି ସମ୍ମାନ ଜଣାଇଛି । ଦଳ ସୁନିତା ବିଶ୍ୱାଳଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରେ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ସୁଯୋଗ ଦେଇଛି । ସେ ଦିଲ୍ଲୀରେ ସୁନ୍ଦରଗଡ଼ବାସୀଙ୍କ ସ୍ୱାର୍ଥ ଲାଗି ଲଢେଇ କରିବେ, ବୋଲି ନବୀନ କହିଛନ୍ତି ।

“ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସିଥାଆନ୍ତି । ସେମାନଙ୍କୁ ପଚାରନ୍ତୁ, ରାଉରକେଲାଠାରେ ବ୍ରାହ୍ମଣୀ ନଦୀ ଉପରେ ୨ୟ ସେତୁ ନିର୍ମାଣ ବିଷୟରେ, ଏପରିକି ରାଉରକେଲାଠାରେ ସୁପର୍ ସ୍ପେଶାଲିଟି ହସ୍ପିଟାଲ ସମ୍ପର୍କରେ ପଚାରନ୍ତୁ,” ନବୀନ ତାଙ୍କ ଉଦବୋଧନରେ ଏହା କହିଛନ୍ତି ।

“୪.୫ କୋଟି ଓଡ଼ିଶାର ଜନସାଧାରଣ ହିଁ ମୋର ପରିବାରର ସଦସ୍ୟ । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସେମାନଙ୍କର ସେବା କରୁଥିବି । ମୋତେ ଆଶୀର୍ବାଦ କରିବା ସହିତ ବିଜେଡ଼ିକୁ ଭୋଟ ଦିଅନ୍ତୁ,” ବୋଲି ଜନସାଧାରଣଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.