ନୂଆଦିଲ୍ଲୀ: ପୃଥିବୀରେ ଏପରି ଏକ ସ୍ଥାନ ମଧ୍ୟ ଅଛି ଯାହା ଅଧିକାରିକ ଭାବେ କୌଣସି ଦେଶର ଅଧୀନରେ ନାହିଁ। ସେଠାରେ କୌଣସି ପାସପୋର୍ଟର ଆବଶ୍ୟକତା ନାହିଁ ଏବଂ ଭିସା ମଧ୍ୟ ଲାଗୁ ହୋଇନଥାଏ। ତା’ ସହିତ ଟେକ୍ନିକାଲ୍ ଦୃଷ୍ଟିରୁ ସେଠାରେ କୌଣସି ସରକାରୀ ଆଇନ୍ ପ୍ରଚଳିତ ନୁହେଁ। ଏହି ସ୍ଥାନର ନାମ ହେଉଛି ବୀର ତାବିଲ। ଏହା ଆଫ୍ରିକାର ଏକ ବଞ୍ଜର ମରୁଭୂମି ଅଞ୍ଚଳ ଯାହା ଆଧୁନିକ ବିଶ୍ୱର ରାଜନୈତିକ ମାନଚିତ୍ରରୁ ବାହାରେ ଅବସ୍ଥିତ।
ଏହି ସ୍ଥାନ ପ୍ରାୟ ୨୦୬୦ ବର୍ଗ କିଲୋମିଟରର ଏକ ମରୁଭୂମି ଅଞ୍ଚଳ। ଏହା ମିଶର ଏବଂ ସୁଡାନ୍ ମଧ୍ୟରେ ଅବସ୍ଥିତ। ଅନ୍ୟ ସୀମାନ୍ତ ଅଞ୍ଚଳଗୁଡ଼ିକ ଭଳି ଏଠାରେ କୌଣସି ଦେଶର ଶାସନ ନାହିଁ। ଏଠାରେ କୌଣସି ସହର ନାହିଁ, ସ୍ଥାୟୀ ଜନସଂଖ୍ୟା ନାହିଁ ଏବଂ କୌଣସି ସରକାର ମଧ୍ୟ ନାହିଁ।
ଏହି ସ୍ଥାନରେ କାହାରି ଦାବି ନଥିବାର କାରଣ ହେଉଛି ଔପନିବେଶିକ କାଳର ସୀମା ବିବାଦ। ୧୮୯୯ ମସିହାରେ ବ୍ରିଟିଶ୍ମାନେ ଏକ ସିଧା ରେଖା ସୀମା ଟାଣିଥିଲେ ଯାହା ପରେ ବୀର ତାବିଲ ସୁଡାନ୍ର ଅଧୀନକୁ ଆସିଥିଲା। ୧୯୦୨ ମସିହାରେ ଏକ ସଂଶୋଧିତ ପ୍ରଶାସନିକ ସୀମା ଦ୍ୱାରା ବୀର ତାବିଲକୁ ମିଶର ଅଧୀନରେ ରଖାଗଲା। ଆଜି ମିଶର ୧୮୯୯ର ସୀମାକୁ ପୂରାପୂରି ମାନୁଛି ଏବଂ ସୁଡାନ୍ ୧୯୦୨ର ସୀମାକୁ ମାନୁଛି। ଏହି ମଧ୍ୟରେ ଉଭୟ ଦେଶ ନିକଟବର୍ତ୍ତୀ ହଲାଇବ ତ୍ରିଭୁଜ ଅଞ୍ଚଳକୁ ଚାହୁଁଛନ୍ତି ଯାହା ସମ୍ପଦରେ ପରିପୂର୍ଣ୍ଣ ଏକ ଉପକୂଳବର୍ତ୍ତୀ ଅଞ୍ଚଳ। କିନ୍ତୁ ବୀର ତାବିଲ ଉପରେ ଦାବି କଲେ ହଲାଇବ ଉପରେ ସେମାନଙ୍କର ଦାବି ଆଇନଗତ ଭାବେ ଦୁର୍ବଳ ହୋଇଯିବ।
ବୀର ତାବିଲର ଆଇନଗତ ଶୂନ୍ୟତା କେତେକ ସାହସୀ ଏବଂ ସ୍ୱପ୍ନଦ୍ରଷ୍ଟା ଲୋକଙ୍କୁ ଆକର୍ଷିତ କରିଛି। ୨୦୧୪ ମସିହାରେ ଜଣେ ଆମେରିକୀୟ ନାଗରିକ ଜେରେମିଆ ହିଟନ୍ ସେଠାରେ ପହଞ୍ଚି ଝଣ୍ଡା ଗାଡ଼ି ଏବଂ କିଙ୍ଗଡମ୍ ଅଫ୍ ନର୍ଥ ସୁଡାନ୍ର ଘୋଷଣା କରିଥିଲେ ଯାହା ଦ୍ୱାରା ସେ ନିଜ ଝିଅକୁ ରାଜକନ୍ୟା ବନାଇବାକୁ ଚାହୁଁଥିଲେ। ସେହିଭଳି ୨୦୧୭ ମସିହାରେ ଭାରତୀୟ ଅନ୍ଵେଷକ ସୁୟଶ ଦୀକ୍ଷିତ ମଧ୍ୟ ଏହା କରିଥିଲେ। ଦୀକ୍ଷିତ ଏକ ଝଣ୍ଡା ଉଡ଼ାଇ ନିଜକୁ ସେହି ଭୂମିର ଶାସକ ଘୋଷଣା କରିଥିଲେ। ଏହି କାହାଣୀଗୁଡ଼ିକ ବିଶ୍ୱବ୍ୟାପୀ ଧ୍ୟାନ ଆକର୍ଷଣ କରିଥିଲା କିନ୍ତୁ ଏଗୁଡ଼ିକ ମଧ୍ୟରୁ କୌଣସି ଦାବିକୁ କୌଣସି ସରକାର କିମ୍ବା ଜାତିସଂଘ ଦ୍ୱାରା ସ୍ୱୀକୃତି ମିଳିନଥିଲା।
କୌଣସି ଦେଶ ଘୋଷଣା କରିବା କେବଳ ଝଣ୍ଡା ଗାଡ଼ିବା ପରି ସହଜ ନୁହେଁ। ଅନ୍ତର୍ଜାତୀୟ ଆଇନ୍ ଅନୁଯାୟୀ ଦେଶ ଗଠନ ପାଇଁ ଏକ ସ୍ଥାୟୀ ଜନସଂଖ୍ୟା, ନିର୍ଦ୍ଦିଷ୍ଟ ସୀମା, ଏକ କାର୍ଯ୍ୟକ୍ଷମ ସରକାର ଏବଂ ଅନ୍ତର୍ଜାତୀୟ ସ୍ୱୀକୃତି ଅତ୍ୟନ୍ତ ଆବଶ୍ୟକ।