Latest Odisha News

ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ, ରଥଯାତ୍ରାରେ ପଡ଼ିପାରିବନି ବ୍ୟବସାୟିକ ଷ୍ଟଲ୍

କଟକ: ରଥଯାତ୍ରା ବେଳେ ପୁରୀ ବଡଦାଣ୍ଡରେ ବ୍ୟବସାୟ ଷ୍ଟଲ ବା କମର୍ସିଆଲ ଷ୍ଚଲ ଲଗାଇବା ମନା। ଏନେଇ ପୁରୀ ପୌରପାଳିକା ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି । ସେହିପରି ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ୱରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ। ଏପରିକି ବ୍ୟବସାୟିକ ଉଦ୍ଦେଶ୍ୟରେ କୌଣସି ଅସ୍ଥାୟୀ ନିର୍ମାଣ ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ। କେବଳ ଜନହିତକାରୀ ଷ୍ଟଲଗୁଡିକ ଅସ୍ଥାୟୀ ଭାବରେ ନିର୍ମାଣ କରାଯିବ ବୋଲି ସତ୍ୟପାଠରେ ଦାଖଲ କରିଛି ପୌରପାଳିକା ।

ରଥଯାତ୍ରା ବେଳେ ବଡ଼ଦାଣ୍ଡରେ ପୌରପାଳିକା ପକ୍ଷରୁ ନିୟମ ଖିଲାପ କରି ଅସ୍ଥାୟୀ ଷ୍ଟଲ ନିର୍ମାଣ ପ୍ରସଙ୍ଗରେ ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି କରି ପୁରୀ ପୌରସଂସ୍ଥାକୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ମଧ୍ୟ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି।

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୌରସଂସ୍ଥା ପକ୍ଷରୁ ଅସ୍ଥାୟୀ ଷ୍ଟଲ୍‌ ଖୋଲିବା ଲାଗି ଏକ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହାକୁ ଚାଲେଞ୍ଜ କରି ଆବେଦନକାରୀ ରଜତ କୁମାର ସାହୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ବାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅଢେଇ କିଲୋମିଟର ବଡ଼ଦାଣ୍ଡକୁ ୨୦୨୨ରେ ମସିହାରେ ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇଥିଲା । ଏହା ପାର୍ଶ୍ୱରେ କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ପଡ଼ିପାରେ। ରାଜପଥ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ଅସ୍ଥାୟୀ ନିର୍ମାଣ ବା ବ୍ୟବସାୟିକ ଷ୍ଟଲ ଖୋଲାଯାଇପାରିବ ନାହିଁ ବୋଲି ନିୟମ ରହିଥିବା ଆବେଦନକାରୀ ପିଟିଶନ୍‌ରେ ଦର୍ଶାଇଥିଲେ।

ତେବେ ମାମଲାରେ ପକ୍ଷ ରଖିବାକୁ ଯାଇ ପୁରୀ ପୌରସଂସ୍ଥା ପକ୍ଷରୁ ମଙ୍ଗଳବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। କୌଣସି ପ୍ରକାର ଅସ୍ଥାୟୀ ଷ୍ଟଲ ବା ନିର୍ମାଣ କରାଯିବ ନାହିଁ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ହାଇକୋର୍ଟ ଉକ୍ତ ସତ୍ୟପାଠକୁ ଗ୍ରହଣ କରି ଉପରୋକ୍ତ ଆଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି।

Leave A Reply

Your email address will not be published.