Latest Odisha News

BREAKING NEWS

ଡେଙ୍ଗୁରେ ପ୍ରାଣ ହରାଇଲେ କ୍ଷତିପୂରଣ ଦେବାକୁ କୌଣସି ବ୍ୟବସ୍ଥା ନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଏହି ରୋଗରେ ଆକ୍ରାନ୍ତଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ।

ସୋମବାର ବିଧାନସଭାରେ ବିଧାୟକ ମହମ୍ମଦ ମୋକିମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଡେଙ୍ଗୁ ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ପାଇଁ ସରକାର କିଛି ପଦକ୍ଷେପ ନେଇଛନ୍ତି କି ନାହିଁ ବୋଲି ବିଧାୟକ ଜାଣିବାକୁ ଚାହିଁଥିଲେ।

ଏହାର ଉତ୍ତରରେ ପୂଜାରୀ କହିଥିଲେ, ଡେଙ୍ଗୁରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ।

ମୋକିମ ତାଙ୍କ ପ୍ରଶ୍ନରେ କହିଥିଲେ, ଭୁବନେଶ୍ୱର ଓ କଟକ ଭଳି ଟ୍ୱିନ୍ ସିଟିରେ ଏହି ରୋଗର ଭୟାବହତା ବଢ଼ିବାରେ ଲାଗିଛି। ଡେଙ୍ଗୁ କେତେକ କ୍ଷେତ୍ରରେ ଲୋକଙ୍କ ଜୀବନ ନେଇଥିବା ଦର୍ଶାଇ ସେ ବର୍ତ୍ତମାନ ରାଜ୍ୟରେ କେତେ ରୋଗୀ ଅଛନ୍ତି ତାହା ଜାଣିବାକୁ ଚାହିଁଥିଲେ।

ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ, ୨୦୨୩ ଜାନୁଆରି ୧ରୁ ସେପ୍ଟେମ୍ବର ୧୪ ମଧ୍ୟରେ ରାଜ୍ୟରେ ମୋଟ ୭୭,୦୦୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

Comments are closed.