ଶିଲଂ: ମେଘାଳୟକୁ ହନିମୁନରେ ଯାଇଥିବା ବେଳେ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସୋନମ ରଘୁବଂଶୀ ଶିଲଂ ଜେଲରେ ମାସେ ହେବ ଜେଲରେ ରହିଛନ୍ତି। କିନ୍ତୁ ସୂଚନା ଅନୁସାରେ, ସେ ନିଜ କାର୍ଯ୍ୟ ପାଇଁ କୌଣସି ଅନୁଶୋଚନା ପ୍ରକାଶ କରି ନାହାନ୍ତି ଏବଂ ତାଙ୍କ ପରିବାରର କେହି ତାଙ୍କୁ ଭେଟିବାକୁ କିମ୍ବା ଯୋଗାଯୋଗ କରିବାକୁ ଆସି ନାହାନ୍ତି।
ଜେଲ ସୂତ୍ରରୁ ପ୍ରକାଶ ଯେ, ସୋନମ ଜେଲର ପରିବେଶରେ ନିଜକୁ ମାନାଇ ନେଇଛନ୍ତି ଏବଂ ଅନ୍ୟ ମହିଳା କଏଦୀଙ୍କ ସହ ଭଲ ଭାବେ ମିଶି ରହୁଛନ୍ତି। ସେ ପ୍ରତିଦିନ ସକାଳେ ନିର୍ଦ୍ଦିଷ୍ଟ ସମୟରେ ଉଠୁଛନ୍ତି ଓ ଜେଲ ନିୟମାବଳୀ କଡ଼ାକଡ଼ି ପାଳନ କରୁଛନ୍ତି। ତେବେ ସେ ନିଜ ଅପରାଧ କିମ୍ବା ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଜେଲରେ ଅନ୍ୟ କଏଦୀ କିମ୍ବା ପ୍ରଶାସନ ସହ କୌଣସି ଆଲୋଚନା କରୁ ନାହାନ୍ତି।
ସୋନମଙ୍କୁ ଜେଲର ଓ୍ଵାର୍ଡେନ ଅଫିସ ନିକଟରେ ରଖାଯାଇଛି, ଯେଉଁଠାରେ ସେ ଦୁଇଜଣ ଅନ୍ୟ ମହିଳା ଅଭିଯୁକ୍ତ କଏଦୀଙ୍କ ସହ ରହୁଛନ୍ତି। ତାଙ୍କୁ ଏପର୍ଯ୍ୟନ୍ତ ଜେଲ ଭିତରେ କୌଣସି ନିର୍ଦ୍ଦିଷ୍ଟ କାମ ଦିଆଯାଇ ନାହିଁ, କିନ୍ତୁ ସୂତ୍ର ଅନୁସାରେ ସେ ଶୀଘ୍ର ସିଲେଇ ଏବଂ ଅନ୍ୟ ଦକ୍ଷତା ବିକାଶମୂଳକ କାମ ଶିଖିବେ। ତାଙ୍କୁ ପ୍ରତିଦିନ ଟିଭି ଦେଖିବାର ସୁବିଧା ମଧ୍ୟ ମିଳୁଛି।
ଜେଲ ନିୟମ ଅନୁସାରେ, ସୋନମ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଓ କଥା ହେବାର ଅନୁମତି ପାଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କେହି ତାଙ୍କୁ ଦେଖା କରିବାକୁ ଆସି ନାହାନ୍ତି କିମ୍ବା ଫୋନ ମାଧ୍ୟମରେ ଯୋଗାଯୋଗ କରି ନାହାନ୍ତି। ଶିଲଂ ଜେଲରେ ମୋଟ ୪୯୬ ଜଣ କଏଦୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୨୦ ଜଣ ମହିଳା। ସୋନମ ହେଉଛନ୍ତି ଏହି ଜେଲରେ ହତ୍ୟା ଅଭିଯୋଗରେ ରହୁଥିବା ଦ୍ୱିତୀୟ ମହିଳା କଏଦୀ। ତାଙ୍କୁ ସିସିଟିଭି କ୍ୟାମେରା ମାଧ୍ୟମରେ ନିରୀକ୍ଷଣ କରାଯାଉଛି।
ଇନ୍ଦୋରରେ ରାଜା ଓ ସୋନମଙ୍କ ବିବାହ ମଇ ୧୧ ତାରିଖରେ ହୋଇଥିଲା। ମାତ୍ର ନଅ ଦିନ ପରେ ମେ ୨୦ରେ ସେମାନେ ମେଘାଳୟକୁ ହନିମୁନ ପାଇଁ ଯାଇଥିଲେ। କିନ୍ତୁ ମଇ ୨୩ରେ ସେମାନେ ‘ନିଖୋଜ’ ହୋଇଥିଲେ। ପରିବାର ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଜୁନ ୨ରେ ରାଜାଙ୍କ ମୃତଦେହ ମେଘାଳୟର ସୋହରା ଅଞ୍ଚଳର ଏକ ଗଭୀର ଖାଇରେ ମିଳିଥିଲା, ଯାହା ପରେ ଏକ ହତ୍ୟା ବୋଲି ଜଣାପଡ଼ିଲା।
ଜୁନ ୭ରେ ସୋନମ ଉତ୍ତରପ୍ରଦେଶର ଗାଜୀପୁରରେ ଏକ ଢାବାରେ ଅଚେତ ଅବସ୍ଥାରେ ମିଳିଥିଲେ। ଚିକିତ୍ସା ପରେ ସେ ପୁଲିସ ଆଗରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ସହ ତାଙ୍କ ପ୍ରେମିକ ରାଜ କୁଶୱାହା ଓ ଅନ୍ୟ ତିନି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସୂଚନା ଅନୁସାରେ, ସୋନମ ନିଜ ସ୍ୱାମୀଙ୍କୁ ହତ୍ୟା ପାଇଁ ରାଜ ଓ ତାଙ୍କ ସାଙ୍ଗମାନଙ୍କୁ ୨୦ ଲକ୍ଷ ଟଙ୍କାର ପ୍ରଲୋଭନ ଦେଇଥିଲେ।
ଘଟଣା ପରେ ସୋନମଙ୍କ ଭାଇ ଗୋବିନ୍ଦ ତାଙ୍କ ପରିବାର ସୋନମଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିବା କହିଛନ୍ତି। ସେ ରାଜାଙ୍କ ପରିବାରଙ୍କ ସହ ଏକଜୁଟ ହୋଇ ନ୍ୟାୟ ପାଇଁ ଲଢ଼େଇ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବାବେଳେ, ସୋନମଙ୍କ ନୀରବତା ଓ ଅନୁଶୋଚନାର ଅଭାବ ଅନେକ ପ୍ରଶ୍ନ ଉଠାଇଛି।
Comments are closed.