ନୂଆଦିଲ୍ଲୀ: ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ (E20) ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାରେ ରହିଛି। ଅନେକ ସୋସିଆଲ ମିଡିଆ ପୋଷ୍ଟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଟାର୍ଗେଟ କରୁଛନ୍ତି।
ଯାହାକୁ ନେଇ ବମ୍ବେ ହାଇକୋର୍ଟରେ ଦାୟର ଏକ ସିଭିଲ୍ ପିଟିସନ୍ ମାଧ୍ୟମରେ ଗଡକରୀ ସ୍ପଷ୍ଟ କରିଛନ୍ତି ଯେ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ (EBP) E20 ରେ ତାଙ୍କର କୌଣସି ଭୂମିକା ନାହିଁ। ଗଡକରୀ ଅଭିଯୋଗ କରିଛନ୍ତି ଯେ AI-ଜେନେରେଟେଡ୍ ଡିପ୍ଫେକ୍ ଏବଂ ପ୍ରତାରଣାମୂଳକ ଅନଲାଇନ୍ ବିଷୟବସ୍ତୁ ତାଙ୍କୁ ଭୁଲ୍ ଭାବରେ ଜଡିତ କରୁଛି।
ସୋମବାର ବମ୍ବେ ହାଇକୋର୍ଟ ନୀତିନ୍ ଗଡକରୀଙ୍କୁ ମେଟା, ଗୁଗୁଲ୍, X ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ଦାୟର କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଆବେଦନରେ ମିଥ୍ୟା, ମନଗଢ଼ା ଏବଂ ମାନହାନିମୂଳକ AI-ଜେନେରେଟେଡ୍ ଭିଡିଓ ଏବଂ ଡିଜିଟାଲ୍ ବିଷୟବସ୍ତୁକୁ ହଟାଇବା ପାଇଁ ଦାବି କରାଯାଇଛି। ପ୍ରସ୍ତାବିତ ଆବେଦନ ଅନୁଯାୟୀ, ଅନଲାଇନ୍ ପୋଷ୍ଟ ଏବଂ ଡିପ୍ଫେକ୍ ଭିଡିଓଗୁଡ଼ିକ ଗଡକରୀଙ୍କୁ ଇଥାନଲ୍-ମିଶ୍ରଣ କାର୍ଯ୍ୟକ୍ରମର ଜଣେ ପ୍ରମୁଖ ସ୍ଥପତି ଭାବରେ ଚିତ୍ରଣ କରୁଛନ୍ତି ଏବଂ ମିଥ୍ୟା ଦାବି କରୁଛନ୍ତି ଯେ ତାଙ୍କ ପରିବାର ଏଥିରୁ ଆର୍ଥିକ ଭାବରେ ଲାଭ ପାଇଛି।
ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ଇଥାନଲ୍ ମିଶ୍ରଣ (E20) କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅଧିକାର କ୍ଷେତ୍ର ଅଧୀନରେ ଆସେ। ନୀତିନ ଗଡକରୀଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ନୁହେଁ। ଗଡକରୀଙ୍କ ନାଗପୁର କାର୍ଯ୍ୟାଳୟ ମଧ୍ୟ ସ୍ପଷ୍ଟ କରିଛି ଯେ ଇଥାନଲ୍ ମିଶ୍ରଣ କାର୍ଯ୍ୟକାରୀ କରିବାର ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟ ଦ୍ୱାରା ନିଆଯାଇଛି।
ଗଡକରୀ ଅନୁରୋଧ କରିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏହି ନକଲି ଭିଡିଓଗୁଡ଼ିକୁ ହଟାଇବା ଏବଂ ବ୍ଲକ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ। ତେବେ କୋର୍ଟ ଖୁବ୍ ଶୀଘ୍ର ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ଧରି ସାରା ଦେଶରେ ପେଟ୍ରୋଲ ପମ୍ପରେ E20 ପେଟ୍ରୋଲ ବିକ୍ରୟକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଲୋକମାନେ ଅଭିଯୋଗ କରିଛନ୍ତି ଯେ ଏହି ଇଥାନଲ୍ ମିଶ୍ରିତ ପେଟ୍ରୋଲ ଯାନବାହାନରେ ସମସ୍ୟା ସୃଷ୍ଟି କରୁଛି। ଏହା ବ୍ୟତୀତ ଅନେକ ସୋସିଆଲ ମିଡିଆ ପୋଷ୍ଟ ଦାବି କରୁଛି ଯେ ନୀତିନ ଗଡକରୀଙ୍କ ପରିବାର ଏଥିରୁ ସିଧାସଳଖ ଲାଭ ପାଉଛନ୍ତି।