ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ SIRକୁ କେନ୍ଦ୍ର କରି ବିଜେପି ଉପରେ ବର୍ଷିଛନ୍ତି।
ସେ ବାଂଲାଦେଶ ସୀମାନ୍ତବର୍ତ୍ତୀ ଉତ୍ତର ୨୪ ପରଗନା ଜିଲ୍ଲାର ମାଟୁଆ ସମ୍ପ୍ରଦାୟର ଗଡ଼ ବନଗାଓଁରେ ଏକ ରାଲିକୁ ସମ୍ବୋଧନ କରି କହିଛନ୍ତି ଯେ ଯଦି ପଶ୍ଚିମବଙ୍ଗରୁ ବୈଧ ଭୋଟର ତାଲିକା ନାମ ବାଦ ଦିଆଯାଏ ତେବେ କେନ୍ଦ୍ର ସରକାର ମଧ୍ୟ ଭୁଶୁଡ଼ିଯିବ। ଏହା ସେ ୨୦୨୪ର ଭୋଟର ତାଲିକାକୁ ଆଧାର ରେ କହିଥିବା କହିଛନ୍ତି। SIR କଣ ପାଇଁ ଏତେ ଶୀଘ୍ର ଲାଗୁ କରାଯାଉଛି ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ। ଏଥିସହିତ ସେ ନିର୍ବାଚନ କମିଶନକୁ “ବିଜେପି କମିଶନ” ବୋଲି ମଧ୍ୟ କହିଛନ୍ତି। ଯେପର୍ଯ୍ୟନ୍ତ ସେ ଏଠାରେ ଅଛନ୍ତି ସେମାନଙ୍କର ନାମ ଭୋଟର ତାଲିକାରେ ରହିବ ବୋଲି ମଧ୍ୟ ମମତା ମାଟୁଆ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି।
ନିକଟରେ ବିହାରରେ ହୋଇଥିବା ନିର୍ବାଚନକୁ ନେଇ ମଧ୍ୟ ସେ ବିଜେପିର ନିନ୍ଦା କରିଥିଲେ। ସେ କହିଥିଲେ ଯେ ବିହାରର “ଗରୀବ” ବିରୋଧୀ ନେତାମାନେ ବିଜେପିର ଖେଳ ବୁଝିପାରିଲେ ନାହିଁ କିନ୍ତୁ ଆମେ ବଙ୍ଗାଲରେ ସେମାନଙ୍କର ଖେଳ ସଫଳ ହେବାକୁ ଦେବୁ ନାହିଁ। ଯଦି ସେମାନେ ଏଠାରେ କିଛି କରିବାକୁ ଚାହିଁବେ ତାହେଲେ ଆମେ ସମଗ୍ର ଦେଶକୁ ଆମର ଶକ୍ତି ଦେଖାଇ ଦେବୁ।
ମମତା ଆହୁରି କହିଛନ୍ତି ଯେ ଟ୍ରେନ୍, ବିମାନ ଏବଂ ସୀମା ଜନିତ ସମସ୍ୟା ସହ ପାସପୋର୍ଟ, କଷ୍ଟମ୍ସ ଏବଂ ଏକ୍ସାଇଜ୍ ସବୁକିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ତଦାରଖ କରାଯାଉଛି। ତାହେଲେ ବାଂଲାଦେଶୀମାନଙ୍କୁ ଆମେ ବଙ୍ଗାଲ୍ ରେ ପ୍ରବେଶ କରିବାକୁ କିପରି ଅନୁମତି ଦେଲୁ କହି ମଧ୍ୟ ସେ ପ୍ରଶ୍ନ କରିଥିଲେ।ଏଥିସହିତ ବିଜେପି CAA କାର୍ଡ (ନାଗରିକତା ପ୍ରଦାନ) ନାମରେ କାର୍ଡ ବିକ୍ରି କରି ଟଙ୍କା ସଂଗ୍ରହ କରୁଥିବା ନେଇ ମଧ୍ୟ ମମତା ଅଭିଯୋଗ କରିଛନ୍ତି। SIR ଯୋଗୁଁ ବଙ୍ଗାଲ ରେ ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇସାରିଥିବା ନେଇ ମଧ୍ୟ କୁହାଯାଉଛି। ଏଥିସହିତ ବିଜେପି ଏଆଇ ଦ୍ଵାରା ନକଲି ଭୋଟର ସୃଷ୍ଟି କରୁଥିବା ନେଇ ମଧ୍ୟ କୁହାଯାଉଛି।
ତେବେ ଏହି ମାସର ଆରମ୍ଭରେ ମମତା ବାନାର୍ଜୀ କୋଲକାତାରେ ତୃଣମୂଳ କଂଗ୍ରେସ ଦ୍ୱାରା SIR ବିରୁଦ୍ଧରେ ତିନି କିଲୋମିଟର ଲମ୍ବା ପଦଯାତ୍ରାର ନେତୃତ୍ୱ ନେଇଥିଲେ ଓ ଏହା ନଭେମ୍ବର ୪ ତାରିଖରେ ଆରମ୍ଭ ହୋଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି।
Comments are closed.