ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ବିଷୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ବର୍ଷକରେ ଦୁଇ ଥର ବୋର୍ଡ ପରୀକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏଣିକି ବର୍ଷକୁ ଦୁଇ ଥର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବସିବାକୁ ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଚାପ ଓ ଭୟରୁ ମୁକ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି କେନ୍ଦ୍ର ।
ଏବେ ୧୦ମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବର୍ଷରେ ଦୁଇଥର ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ବର୍ଷରେ ଦୁଇ ଥର ପରୀକ୍ଷା ଅନୁଷ୍ଠିତ ହେବ। ହେଲେ ବର୍ଷକରେ ଥରେ କିମ୍ବା ଦୁଇଥର ପରୀକ୍ଷା ଦେବାର ବିକଳ୍ପ ଚୟନ କରିବା ପାଇଁ ପିଲାମାନେ ସୁବିଧା ପାଇବେ। ସାରା ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି ଆରମ୍ଭ କରାଯାଇଛି। ସେହି ନୂଆ ନୀତି ଅନୁଯାୟୀ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ବର୍ଷକୁ ଦୁଇଥର ପରୀକ୍ଷା ହେବ ବୋଲି ନିୟମ ରହିବା ପରେ ପିଲାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିଲା। ଏହାପରେ କେନ୍ଦ୍ରମନ୍ତ୍ରୀ ଏହି ଦ୍ୱନ୍ଦକୁ ଦୂର କରିଛନ୍ତି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ‘୧୦ମ ଓ ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଜେଇଇ ପରୀକ୍ଷା ଢାଞ୍ଚାରେ ବର୍ଷରେ ଦୁଇ ଥର ପରୀକ୍ଷା ଦେବାର ସୁଯୋଗ ପାଇବେ। ସେମାନେ ଚାହିଁଲେ ଥରେ କିମ୍ବା ଦୁଇଥର ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ସେହିପରି ସେମାନେ ୨ ଟି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ସର୍ବାଧିକ ସ୍କୋରକୁ ଚୟନ କରିବାର ସୁବିଧା ମଧ୍ୟ ପାଇେପାରିବେ।’
ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ପରୀକ୍ଷାକୁ ପାଠ୍ୟକ୍ରମ ଭିତ୍ତିକ କରିବା ଲାଗି ଏନସିଏଫ୍ ଏପରି ବ୍ୟବସ୍ଥା କରିଛି। କେନ୍ଦ୍ରଶିକ୍ଷା ମନ୍ତ୍ରୀ କହିଛନ୍ତି, ଅନେକ ସମୟରେ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ନିଷ୍ପତିକୁ ନେଇ ନିରାଶ ହୋଇପଡନ୍ତି। କୌଣସି କାରଣରୁ ଭଲ ଫଳାଫଳ ନହେଲେ ନିରାଶ ହୋଇପଡନ୍ତି। ଏବେ କିନ୍ତୁ ଏହି ବ୍ୟବସ୍ଥା ଦ୍ୱାରା ଦ୍ୱିତୀୟ ଥର ପରୀକ୍ଷା ଦେଇ ନିଜର ମାର୍କ ଭଲ କରିବାକୁ ଚେଷ୍ଟା କରିପାରିବେ ପରୀକ୍ଷାର୍ଥୀ।
Comments are closed.