ନୂଆଦିଲ୍ଲୀ: ୨୦୨୪ ଯିବାକୁ ସଜବାଜ ହେଲାଣି । ହାତରେ ଆଉ ଅଳ୍ପ ଦିନ । କ୍ରୀଡା ଦୁନିଆରେ ଅନେକ ଆଥଲେଟ ପ୍ରଶଂସକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ୨୦୨୪ରେ ଇଂଟରନେଟରେ ଏହି ଖେଳାଳିମାନଙ୍କୁ ବେଶୀ ସର୍ଚ୍ଚ କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ବିରାଟ କୋହଲି, ରୋହିତ ଶର୍ମା ଓ ନୀରଜ ଚୋପ୍ରାଙ୍କ ପରି ଲୋକପ୍ରିୟ ଖେଳାଳିଙ୍କ ଅପେକ୍ଷା ପ୍ରଶଂସକମାନେ ମହିଳା ରେସଲର ଭିନେଶ ଫୋଗଟଙ୍କୁ ବେଶୀ ସର୍ଚ୍ଚ କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ ।
ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଓଭରୱେଟ ହେବା ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହା ପରେ ଭିନେଶ ଅବସର ଘୋଷଣା କରିଥିଲେ । ଭିନେଶଙ୍କ ପଛକୁ ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ହେବା ଏବଂ ଏହା ପରେ ପାରିବାରିକ ବିବାଦ ଯୋଗୁ ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ପ୍ରଶଂସକମାନେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ଆଇପିଏଲରେ ପ୍ରଦର୍ଶନ ମାଧ୍ୟମରେ ଚର୍ଚ୍ଚା ସାଉଁଟିଥିବା ଯୁବ କ୍ରିକେଟର ଶଶାଙ୍କ ସିଂ ଓ ଅଭିଷେକ ଶର୍ମାଙ୍କୁ ମଧ୍ୟ ପ୍ରଶଂସକମାନେ ବେଶୀ ସର୍ଚ୍ଚ କରିଛନ୍ତି ।