ନୂଆଦିଲ୍ଲୀ: ଆସନ୍ତା ୯ ଓ ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ବିଦେଶର ବଡ଼ ବଡ଼ ନେତା , ବ୍ୟବସାୟୀ ଯୋଗ ଦେବେ। ହେଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମ୍ମିଳନୀରେ ଯୋଗ ଦେବେ ନାହିଁ ସୂଚନା ରହିଛି। ସି ଜିନପିଙ୍ଗଙ୍କ ସ୍ଥାନରେ ଭାରତରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଯୋଗଦେବେ। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ସୋମବାର ଏହି ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଶିଖର ସମ୍ମିଳନୀଟି ୧୮ ତମ ଜି -୨୦ ଶିଖର ସମ୍ମିଳନୀ ହେବ। ଲି କିଆଙ୍ଗ ନୂଆଦିଲ୍ଲୀରେ ଚୀନ୍ ପ୍ରତିନିଧୀ ଦଳର ନେତୃତ୍ୱ ନେବେ। ପ୍ରଥମ ଥର ପାଇଁ ଭାରତ ଦ୍ୱାରା ଆୟୋଜିତ ଏହି ଉଚ୍ଚ ସ୍ତରୀୟ ଶିଖର ସମ୍ମିଳନୀରେ ସି ଜିନପିଙ୍ଗଙ୍କ ଅନୁପସ୍ଥିତି ପାଇଁ କୌଣସି କାରଣ ଦର୍ଶାଇ ନାହାଁନ୍ତି ମୁଖପାତ୍ର ମାଓ ନିଙ୍ଗ। ଅନ୍ୟପଟେ ବୈଠକରେ ଚୀନ ରାଷ୍ଟ୍ରପତି ଯୋଗ ନଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ସେ କହିଛନ୍ତି, ଜିନପିଙ୍ଗ ବୈଠକରେ ଯୋଗ ଦେଉନଥିବା ଶୁଣି ସେ ନିରାଶ ହୋଇଛନ୍ତି। ଯଦି ଜିନପିଙ୍ଗ ଭାରତ ଗସ୍ତରେ ଆସିଥାନ୍ତେ ତେବେ ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥାନ୍ତା।
ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସପ୍ତାହରେ ଜାକର୍ତ୍ତାରେ ହେବାକୁ ଥିବା ଏସିଆନ (ଆସୋସିଏସନ୍ ଅଫ୍ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର) ଏବଂ ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବେ ନାହିଁ। ଇଣ୍ଡୋନେସିଆରେ ହେବାକୁ ଥିବା ଏସିଆନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଲି ଚୀନର ପ୍ରତିନିଧିତ୍ୱ କରିବେ। ସେହିପରି ୨୦୨୧ ମସିହାରେ ଚାଇନାର କୋଭିଡ-19 ପ୍ରତିବନ୍ଧକ ଯୋଗୁଁ ଇଟାଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଯୋଗ ଦେଇନଥିଲେ।
ଜି-୨୦ ଶିଖର ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଯୋଗଦେବେ ନାହିଁ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ସାମିଲ ହୋଇପାରିବେ ନାହିଁ ବୋଲି ଅବଗତ କରାଇଛନ୍ତି। କାରଣ ତାଙ୍କୁ ୟୁକ୍ରେନରେ ‘ସ୍ୱତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ’ ଉପରେ ଧ୍ୟାନ ଦେବାକୁ ପଡିବ। ଗତ ବର୍ଷ ନଭେମ୍ବରରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ମଧ୍ୟ ଋଷର ରାଷ୍ଟ୍ରପତି ଯୋଗ ଦେଇନଥିଲେ।
Comments are closed.