Latest Odisha News

BREAKING NEWS

ଏଠି ବାଘ ସହ ଖେଳୁଥିଲେ ପର୍ଯ୍ୟଟକ: ହେଲେ ଏମିତି କିଛି ହେଲା ସବୁ ବାଘକୁ ହଟାଇ ଦିଆଗଲା

ଥାଇଲ୍ୟାଣ୍ଡ: ବାଘର ନାଁ ଶୁଣିଲେ ଲୋକେ ଡ଼ରିବା ଆରମ୍ଭ କରନ୍ତି । କିନ୍ତୁ ଥରେ ଭାବନ୍ତୁ ଯଦି ବାଘ ଆପଣଙ୍କ ସାମ୍ନାକୁ ଆସେ ତେବେ କ’ଣ ହେବ? ଅବସ୍ଥା ଆହୁରି ଖରାପ ହୋଇଯିବ । କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲୋକମାନେ ବାଘ ସହିତ ଖେଳିଥାନ୍ତି । ସେମାନଙ୍କ ସହିତ ସେଲଫି ବି ନେଇଥାନ୍ତି । ହେଲେ ଏବେ ଏଠାରେ ଆଉ ବାଘ ନାହାନ୍ତି, କେବଳ ସେମାନେ ରହୁଥିବା ଘର ଭଙ୍ଗାଦଦରା ହୋଇ ପଡ଼ି ରହିଛି ।

ଥାଇଲ୍ୟାଣ୍ଡରେ ଥିବା ବୌଦ୍ଧ ମନ୍ଦିର ବେଶ୍ ପ୍ରସିଦ୍ଧ । ଯେତେବେଳେ ଥାଇଲ୍ୟାଣ୍ଡରେ ବହୁ ପଶୁ ଚୋରା ଚାଲାଣ ହେଉଥିଲା, ସେତେବେଳେ ଏହି ମନ୍ଦିର ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା । ୧୯୯୯ ମସିହାରେ ଜଣେ ଗ୍ରାମବାସୀ ଏକ ବାଘ ଛୁଆକୁ ଏହି ମନ୍ଦିରକୁ ଆଣିଥିଲେ । କାରଣ ଏହି ବାଘ ଛୁଆର ମାଆକୁ କେହି ହତ୍ୟା କରି ଦେଇଥିଲେ । ଧୀରେ ଧୀରେ ଏହିପରି ଅନେକ ବାଘ ଏଠାକୁ ଆସିଲେ । ପରେ ଏହା ବାଘମାନଙ୍କ ବାସସ୍ଥଳୀ ପାଲଟିଗଲା । ଏଠାରେ ବୌଦ୍ଧ ଭିକ୍ଷୁକମାନେ ଏହି ବାଘମାନଙ୍କର ରକ୍ଷଣାବେକ୍ଷଣ କରିଥାନ୍ତି । ଅନେକ ବାଘ ଏହି ବୌଦ୍ଧ ମନ୍ଦିରରେ ଲୋକଙ୍କ ସହ ଖୁସିରେ ରହୁଥିଲେ । ତାଙ୍କର ଉଠିବା, ଖାଇବା ଏବଂ ପିଇବା କେବଳ ଏଠାକାର ଲୋକଙ୍କ ସହିତ ହେଉଥିଲା ।

ବ୍ୟାଙ୍କକଠାରୁ ୧୪୦ କିଲୋମିଟର ଦୂରରେ ଥିବା ଏହି ମନ୍ଦିରକୁ ପ୍ରତିବର୍ଷ ବିଭିନ୍ନ ସ୍ଥାନରୁ ହଜାର ହଜାର ପର୍ଯ୍ୟଟକ ପରିଦର୍ଶନରେ ଆସିଥାନ୍ତି । ପୂର୍ବରୁ ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ବାଘମାନଙ୍କ ସହିତ ଖେଳୁଥିଲେ ଓ ଫଟୋ ବି ଉଠାଉଥିଲେ । ପରେ ଜାଣିବାକୁ ମିଳିଲା ଯେ ଏଠାରୁ ବାଘମାନଙ୍କୁ ଚୋରା ଚାଲାଣ କରାଯାଉଛି । ଏହା ପରେ ୧୦୦ ଟି ବାଘକୁ ଏଠାରୁ ହଟାଇ ଦିଆଗଲା । ବର୍ତ୍ତମାନ ଏଠାରେ କୌଣସି ଗୋଟିଏ ବି ବାଘ ଆଉ ନାହାନ୍ତି । ମନ୍ଦିର ବନ୍ଦ ହୋଇଯାଇଛି । ତଥାପି ଆଜି ମଧ୍ୟ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି ।
ବାଘ ଚୋରା ଚାଲାଣକୁ ମନ୍ଦିର ପ୍ରଶାସନ ଅସ୍ୱୀକାର କରିଛି । ୨୦୦୫ ମସିହାରେ ଯେତେବେଳେ ଏହି ଅନୁସନ୍ଧାନ ହୋଇଥିଲା, ସେତେବେଳେ ବାସ୍ତବତା ସାମ୍ନାକୁ ଆସିଥିଲା । ଏହା ଜଣାପଡିଥିଲା ଯେ ଏଠାରୁ ବାଘ ଚୋରା ଚାଲାଣ ହେଉଛି । ସେମାନେ ବେଆଇନ ଭାବେ ଏଠାରେ ବାଘ ପାଳିଥିଲେ । ଏକ ଫ୍ରିଜରେ ୪୦ ଟି ବାଘ ଛୁଆର ମୃତଦେହ ବି ଜବତ ହୋଇଥିଲା । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା, ଏଠାରେ ବାଘକୁ ଇଞ୍ଜେକ୍ସନ ଦିଆଯାଇ ପ୍ରାୟ ଚେତାଶୂନ୍ୟ ରଖାଯାଉଥିଲା, ଯାହାଦ୍ୱାରା ପର୍ଯ୍ୟଟକମାନେ ବାଘ ସହିତ ଖେଳିବା ସହ ଫଟୋ ଉଠାଉଥିଲେ ।

Leave A Reply

Your email address will not be published.