ନୂଆପଡା: ଟାଙ୍ଗରା ଭୂଇଁ ବୋଲି ଦିନେ ଜମି ପଡୁଥିଲା ପଡ଼ିଆ l ହେଲେ ଏବେ ସେଇ ଜମି ଚାଷୀକୁ ଦେଇଛି ପରିଚୟ ଆଉ କରିଛି ଲାଭବାନ । ଉଦ୍ୟାନ ବିଭାଗର ସହାୟତାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରୋହେନପଦର ଗାଁରେ ହୋଇଛି ଷ୍ଟ୍ରବେରୀ ଏବଂ ଗେଣ୍ଡୁ ଫୁଲ ଚାଷ l ଅଞ୍ଚଳରେ ପ୍ରଥମ କରି ପରୀକ୍ଷା ମୂଳକ ଭାବରେ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଏହାକୁ ବିକ୍ରି କରି ବେଶ ଲାଭବାନ ହୋଇଛନ୍ତି ଚାଷୀ । ସେହିପରି ଗେଣ୍ଡୁ ଫୁଲର ଚାହିଦା ଅଧିକ ଥିବାରୁ ଫୁଲ ମଧ୍ୟ ଭଲ ବିକ୍ରି ହେଉଛି । ଅପରପକ୍ଷେ ଗାଁର ଦାଦନ ଯାଉଥିବା ଶ୍ରମିକଙ୍କୁ ମଧ୍ୟ କାମ ଯୋଗାଇବାରେ ସହାୟତା ହୋଇଛି ଏହି ଚାଷ ।
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରୋହେନପଦର ଗାଁର ଉଚ୍ଚ ଶିକ୍ଷିତ ଯୁବକ ଉପେନ୍ଦ୍ର ମାଝୀ ପ୍ରଥମ କରି ଖଡ଼ିଆଳ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ ପାଇଁ ମନବଳାଇଥିଲେ l ଆଉ ଖଡ଼ିଆଳ ଉଦ୍ୟାନ ବିଭାଗର ସହାୟତା ଏବଂ ପରାମର୍ଶରେ ନିଜର ଟାଙ୍ଗରା ଭୂଇଁରେ ଗତବର୍ଷ ନଭେମ୍ବର ମାସରେ ଷ୍ଟ୍ରବେରୀ ଚାଷ ଆରମ୍ଭ କରିଥିଲେ । ଆଉ ଏବେ ଜମିରେ ପେନ୍ଥା ପେନ୍ଥା ଷ୍ଟ୍ରବେରୀ ଫଳିଛି । ଇତି ମଧ୍ୟରେ ଉପେନ୍ଦ୍ର ପ୍ରାୟ ଲକ୍ଷେ ଟଙ୍କା ଆୟ କରିଥିବା ବେଳେ ଗାଁର ଦାଦନ ଯାଉଥିବା ଅନ୍ୟ ଲୋକ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରି ସ୍ଵାବଲମ୍ବୀ କରିଛନ୍ତି ।
ସେହିପରି ରୋହେନପଦର ଗାଁର କାନ୍ତି ମାଝୀ ନିଜର ଏକ ହେକ୍ଟର ଜମିରେ ଗେଣ୍ଡୁ ଫୁଲ ଚାଷ କରିଛନ୍ତି । ପ୍ରଥମ କରି ଏହି ଚାଷ କରିଛନ୍ତି ମାତ୍ର ଫଳ ଭଲ ପାଇଛନ୍ତି । ଲୋକେ ସିଧା ସଳଖ ଜମି କୁ ଆସି ଗେଣ୍ଡୁ ଫୁଲ କିଣି ନେଉଛନ୍ତି l ଆଉ ଚାଷୀ ବେଶ ଲାଭବାନ ହେଉଛନ୍ତି l ଖଡ଼ିଆଳ ଉଦ୍ୟାନ ବିଭାଗ ଦ୍ୱାରା ଏକ ଏକର ପାଇଁ ଜଳସେଚନ ସହାୟତା ସହ ୫୫୦୦ ଷ୍ଟ୍ରବେରୀ ଚାରା ଏବଂ ଦଶ ହଜାର ଗେଣ୍ଡୁ ଚାରା ଯୋଗାଈ ଦିଆଯାଇଥିଲା l ଚଳିତ ବର୍ଷ ପ୍ରଥମ କରି ଖଡ଼ିଆଳ ଅଞ୍ଚଳରେ ଷ୍ଟ୍ରବେରୀ ହୋଇଥିବା ସହ ଚାଷୀଙ୍କୁ ବିଭିନ୍ନ ସହାୟତା ଦିଆଯାଇଛି ବୋଲି କହିଛନ୍ତି ଖଡ଼ିଆଳ ସହକାରୀ ଉଦ୍ୟାନ ଅଧିକାରୀ ମୋହିତ କୁମାର ନାଏକ l
Comments are closed.