Latest Odisha News

ଇତିହାସ ରଚିଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରେ ସିରିଜ ହାରିଲା ଭାରତ

ପୁଣେ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ପୁଣେ ଟେଷ୍ଟକୁ ୧୧୩ ରନରେ ଜିତିବା ସହ ଭାରତ ମାଟିରେ ପ୍ରଥମ ସିରିଜ ବିଜୟ ହାସଲ କରିଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭ୍ରମଣକାରୀ ଦଳ ୨-୦ରେ ଆଗୁଆ ରହିଛି । ଅପରପକ୍ଷରେ ଭାରତ ୧୨ ବର୍ଷ ପରେ ଘରୋଇ ପରିବେଶରେ ସିରିଜ ପରାଜୟବରଣ କରିଛି । ସ୍ପିନ ଜାଲରେ ନ୍ୟୁଜିଲାଣ୍ଡକୁ ଫସେଇବାକୁ ଯାଇ ଭାରତ ନିଜେ ଫସି ଯାଇଥିଲା । ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆକୁ ଏହା ଏକ ବଡ ଧକ୍କା ସଦୃଶ । ଭାରତ କ୍ରମାଗତ ୧୮ଟି ସିରିଜ ଜିତିବା ପରେ ଏଥର ନୈରାଶ୍ୟଜନକ ଭାବେ ସିରିଜ ହାତଛଡା କରିଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ୧୯୫୫ରେ ଖେଳା ଯାଇଥିଲା । ୬୯ ବର୍ଷ ପରେ ଭାରତକୁ ନ୍ୟୁଜିଲାଣ୍ଡ ତାର ଘରେ ମାତ ଦେଇଛି ।

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୫୯ ରନ କରିଥିଲା । ଜବାବରେ ଟିମ ଇଣ୍ଡିଆ ୧୫୬ ରନରେ ଅଲଆଉଟ ହୋଇ ଯାଇଥିଲା । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୨୫୫ ରନ କରି ଭାରତ ସମ୍ମୁଖରେ ୩୫୯ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଯଶସ୍ୱୀ ଜୈସସ୍ୱାଲ ୭୭ ଓ ରବୀନ୍ଦ୍ର ଜାଡେଜା ୪୨ ରନ କରି ନ୍ୟୁଜିଲାଣ୍ଡ ସ୍ପିନରଙ୍କୁ ଉଚିତ ମୁକାବିଲା କରିଥିଲେ । ଶୁଭମନ ଗିଲ ୨୩, ବିରାଟ କୋହଲି ୧୭ ଓ ୱାଶିଂଟ ନ ସୁନ୍ଦର ୨୧ ରନ କରିଥିଲେ । ନ୍ୟୁଜିଲାଣ୍ଡ ବିଜୟର ହୀରୋ ସାଜିଥିବା ମିଚେଲ ସାଂଟେନର ଏହି ମ୍ୟାଚରେ ୧୩ଟି ୱିକେଟ ଅକ୍ତିଆର କରିଥିଲେ । ସେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.