Latest Odisha News

ମୁହଁରେ ବଲ ଲାଗିବାରୁ ଆମ୍ୱୁଲାନ୍ସରେ ଗଲେ ଇମାମ ଉଲ ହକ, କିୱି ଖେଳାଳିଙ୍କ ବୋଲିଂ ବେଳେ ଅନ୍ଧାର ହୋଇଗଲା ଷ୍ଟାଡିୟମ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ପାକିସ୍ତାନର ଓପନର ଇମାମ ଉଲ ହକ ଆହତ ହେବା ପରେ ରିଟାୟାର୍ଡ  ହର୍ଟ ହୋଇ ମୈଦାନ ଛାଡ଼ିଛନ୍ତି। ମ୍ୟାଚ ସମୟରେ ଏକ ଡାଇରେକ୍ଟ ଥ୍ରୋ ତାଙ୍କ ହେଲମେଟରେ ପଶି ମୁହଁରେ ଲାଗିଥିଲା। ଜାକବ ବଲ ଫିଙ୍ଗିବା ସମୟରେ ଫ୍ଲଡ଼ ଲାଇଟ୍ ବନ୍ଦ ହୋଇଯାଇ ମୈଦାନ ଅନ୍ଧକାର ହୋଇପଡ଼ିଥିଲା, ଯାହା ଫଳରେ ବଲ କୁଆଡ଼େ ଗଲା କେହି ଜାଣି ପାରିନଥିଲେ। ଫଳରେ ଏପରି ଘଟଣା ଘଟିଥିଲା।

ନ୍ୟୁଜିଲାଣ୍ଡ ଏହି ତୃତୀୟ ଓଡିଆଇରେ ପ୍ରଥମେ ବ୍ୟାଟିଂ କରି ୪୨ ଓଭରରେ ୮ ଓ୍ଵିକେଟ ହରାଇ ୨୬୪ ରନ ସଂଗ୍ରହ କରିଥିଲା। ବର୍ଷା କାରଣରୁ ମ୍ୟାଚଟି ୪୨-୪୨ ଓଭରରେ ସୀମିତ କରାଯାଇଥିଲା। ଜବାବରେ ପାକିସ୍ତାନ ୪୦ ଓଭରରେ ୨୨୧ ରନରେ ଅଲଆଉଟ ହୋଇଥିଲା। ଏହି ମ୍ୟାଚ ସମୟରେ ଦୁଇଟି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ୨୬୫ ରନର ଲକ୍ଷ୍ୟ ପିଛା କରୁଥିବା ପାକିସ୍ତାନ ପାଇଁ ଇମାମ ଉଲ ହକ ଓ ଆବଦୁଲ୍ଲା ଶଫିକ ଓପନିଂ କରିବାକୁ ଆସିଥିଲେ। ପାକିସ୍ତାନ ଇନିଂସର ତୃତୀୟ ଓଭରରେ ନ୍ୟୁଜିଲାଣ୍ଡର ଓ୍ଵିଲିୟମ ଓରୁର୍କେ ବୋଲିଂ କରୁଥିଲେ। ଓଭରର ତୃତୀୟ ବଲରେ ଇମାମ ଅଫ ସାଇଡରେ ଖେଳି ଏକ ରନ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ନନ-ଷ୍ଟ୍ରାଇକର ଏଣ୍ଡକୁ ଆସିଥିବା ଏକ ଡାଇରେକ୍ଟ ଥ୍ରୋ ସିଧା ଇମାମଙ୍କ ହେଲମେଟରେ ଲାଗି ଭିତରକୁ ପଶିଯାଇଥିଲା। ଏହା ଫଳରେ ଇମାମ ଗୁରୁତର ଭାବେ ଆହତ ହୋଇଥିଲେ ଓ ହେଲମେଟ ଖୋଲି ମୁହଁରେ ହାତ ଦେଇ ଯନ୍ତ୍ରଣାରେ ଚିତ୍କାର କରୁଥିବା ଦେଖାଯାଇଥିଲା।

ମେଡିକାଲ ଟିମ ତୁରନ୍ତ ତାଙ୍କୁ ଚିକିତ୍ସା ଦେବାକୁ ଚେଷ୍ଟା କରିଥିଲା, କିନ୍ତୁ ଇମାମ ଚାଲିବା ଅବସ୍ଥାରେ ନଥିଲେ। ଶେଷରେ ଏକ ମିନି ଆମ୍ବୁଲାନ୍ସ ଡକାଯାଇ ତାଙ୍କୁ ମୈଦାନରୁ ବାହାରକୁ ନିଆଯାଇଥିଲା। ସେ ରିଟାୟାର୍ଡ ହର୍ଟ ହୋଇଥିଲେ ଓ ପରେ ତାଙ୍କ ସ୍ଥାନରେ କନକସନ ରିପ୍ଲେସମେଣ୍ଟ ଆଣାଯାଇଥିଲା। ଏହି ସମୟରେ ଇମାମ ମାତ୍ର ୧ ରନ କରିଥିଲେ।

ମୈଦାନରେ ଅନ୍ଧାର

ଇମାମଙ୍କ କନକସନ ସବଷ୍ଟିଚ୍ୟୁଟ ଭାବେ ଉସମାନ ଖାନ ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ଆସି ୧୭ ବଲରୁ ୧୨ ରନ କରିଥିଲେ। ଅନ୍ୟପଟେ ଶଫିକ ୩୩, ବାବର ଆଜମ ୫୦, ମୋହମ୍ମଦ ରିଜୱାନ ୩୭ ଓ ତାୟବ ତାହିର ୩୩ ରନ କରିଥିଲେ। କିନ୍ତୁ ପାକିସ୍ତାନ ଇନିଂସର ୩୯ତମ ଓଭରରେ ଷ୍ଟାଡିୟମରେ ବ୍ଲାକ ଆଉଟ ହୋଇଥିଲା। ବର୍ଷା କାରଣରୁ ମ୍ୟାଚଟି ୪୨ ଓଭରକୁ ସୀମିତ ହୋଇଥିବା ବେଳେ, ୩୯ତମ ଓଭରରେ ଜାକବ ଡଫି ଚତୁର୍ଥ ବଲ କରୁଥିବା ସମୟରେ ସମସ୍ତ ଫ୍ଲଡ଼ ଲାଇଟ୍ ବନ୍ଦ ହୋଇଯାଇଥିଲା। ମୈଦାନ ସମ୍ପୂର୍ଣ୍ଣ ଅନ୍ଧକାର ହୋଇପଡ଼ିଥିଲା।

ଏହି ସମୟରେ ତାୟବ ତାହିର ଷ୍ଟ୍ରାଇକରେ ଥାଇ ବଲର ଲାଇନରୁ ବାହାରିଯାଇଥିଲେ। ବଲ କୁଆଡ଼େ ଗଲା କେହି ଜାଣି ପାରିନଥିଲେ; ସମ୍ଭବତଃ ଏହା ସୀମାରେଖା ପାର ହୋଇଥାଇପାରେ। ପାଞ୍ଚ ମିନିଟ ପରେ ଫ୍ଲଡ଼ ଲାଇଟ୍ ପୁଣି ଚାଲୁ ହୋଇଥିଲା ଓ ଖେଳ ଆରମ୍ଭ ହୋଇଥିଲା। କିନ୍ତୁ ଖେଳ ଆରମ୍ଭ ହେବା ମାତ୍ରେ ତାୟବ ତାହିର ଆଉଟ ହୋଇଯାଇଥିଲେ।

ଏକ ଅଭାବନୀୟ ମ୍ୟାଚ

ଏହି ଦୁଇଟି ଘଟଣା ଏକ ମ୍ୟାଚ ସମୟରେ ପ୍ରଥମ ଥର ପାଇଁ ଦେଖାଦେଇଥିବା ଅଭାବନୀୟ ମୁହୂର୍ତ୍ତ ଥିଲା। ଇମାମଙ୍କ ଆଘାତ ଓ ମୈଦାନରେ ହଠାତ୍ ଅନ୍ଧକାର ଖେଳ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ନ୍ୟୁଜିଲାଣ୍ଡ ଏହି ମ୍ୟାଚ ୪୩ ରନରେ ଜିତି ସିରିଜକୁ ୩-୦ରେ ହାତେଇଥିଲା।

Comments are closed.