ଭୁବନେଶ୍ୱର: ଉଦାହରଣ ରଚିଲେ ଓଏଏସ ଟପ୍ପର । ଅନାଥ ପିଲାଙ୍କ ଗହଣରେ ନିରାଡମ୍ବର ଉତ୍ସବରେ ବିବାହ ବନ୍ଧନରେ ବାନ୍ଧି ହୋଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଦୁଇ ଓଏଏସ ଟପ୍ପର ।
୨୦୨୦ ବ୍ୟାଚର ଓଏଏସ ଟପ୍ପର ଅନନ୍ୟା ଶ୍ରୁତି ଶତପଥୀ ଏବଂ ଦେବବ୍ରତ କର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।ମଙ୍ଗଳବାର ସବରେଜିଷ୍ଟ୍ରାର ଅଫିସରେ ଏହି ବିବାହ ସମ୍ପନ୍ନ ହୋଇଛି । ପରସ୍ପରକୁ ଫୁଲମାଳ ଦେଇ ସାରା ଜୀବନର ସାଥୀ ଭାବେ ପରସ୍ପରକୁ ଗ୍ରହଣ କରିଥିଲେ ଅନନ୍ୟା ଓ ଦେବବ୍ରତ । ଏହି ନିରାଡମ୍ବର ବିବାହରେ ଉଭୟଙ୍କ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ମଧ୍ୟ ଉପସ୍ଥିତ ଥିଲେ।
ଏହି ବିବାହରେ ନା ଥିଲା ବାଜା ରୋଷଣୀ, ନା ଥିଲା ସାଜସଜ୍ଜାର ଆଡମ୍ବର । ଅତି ସରଳ, ନିରାଡମ୍ବର ଏହି ବିବାହର ମୁଖ୍ୟ ଆକର୍ଷଣର ଦିଗଟି ଥିଲା, ଏହି ବିବାହ ଉତ୍ସବରେ ନିମନ୍ତ୍ରିତ ଅତିଥି । ବିବାହ ଉତ୍ସବରେ ସାମିଲ ହେଇଥିଲେ ଏକାଧିକ ଅନାଥ ଶିଶୁ । ପରିବାର ସଦସ୍ୟ, ଶୁଭେଚ୍ଛୁ ଏବଂ ଏଇ ଅନାଥ ପିଲାଙ୍କ ଗହଣରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ଏହି ନିରାଡମ୍ବର ବିବାହ ଭୋଜି ଉପରେ ମତ ଦେଇ ଦେବବ୍ରତ କର କହିଛନ୍ତି, ‘ସମାଜରେ ଲିଙ୍ଗଗତ ଭେଦଭାବ ବିରୁଦ୍ଧରେ ଏକ ସୁଚିନ୍ତିତ ପ୍ରୟାସ। “ବିବାହ ଏକ ସାମାଜିକ କାର୍ଯ୍ୟ | କିନ୍ତୁ ଏହା ବର୍ଷ ବର୍ଷ ଧରି ଏକ ବ୍ୟବସାୟିକ ରୂପ ନେଇଛି । ପରିବାର ଲୋକେ ଏହାକୁ ଏକ ମହଙ୍ଗା କାର୍ଯ୍ୟରେ ପରିଣତ କରିବାରେ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ଆରମ୍ଭ କରିଛନ୍ତି । କନ୍ୟା ସନ୍ତାନ ଚାହୁଁ ନ ଥିବା ଦମ୍ପତିଙ୍କ ଉପରେ ଏହାର ଏକ ପ୍ରଭାବ ରହିଛି’ ବୋଲି ସେ କହିଛନ୍ତି।
‘ଏହି ବିବାହ ପରେ ପରିବାର ଲୋକଙ୍କ ଆଶୀର୍ବାଦ ନେଇ ଆମେ ଏକ ନଆ ଜୀବନ ଆରମ୍ଭ କରିବେ । ଆମ ବିବାହ ପାଇଁ ପରିବାର ଲୋକେ ଏତେ ଖର୍ଚ୍ଚାନ୍ତ ହୋଇ କଷ୍ଟ କରନ୍ତୁ ଏକଥା ଆମେ ଚାହୁଁ ନ ଥିଲୁ । ଆମେ କେବଳ ପରିବାର ସଦସ୍ୟ ଏବଂ ଶୁଭେଚ୍ଛୁଙ୍କ ଆଶୀର୍ବାଦ ଚାହୁଁ ’ ବୋଲି କହିଛନ୍ତି ଅନନ୍ୟା ।
ସୂଚନାଥାଉ କି,ଅନନ୍ୟ ୨୦୨୦ ବ୍ୟାଚ ଓଏଏସରେ ତୃତୀୟ ରାଙ୍କ ପାଇଥିବାବେଳେ ଦେବବ୍ରତ ସେହି ବ୍ୟାଚରେ ୪ର୍ଥ ରାଙ୍କ ପାଇଥିଲେ ।
Comments are closed.