ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’
ମହିଳା ସଶକ୍ତିକରଣର ସଂଜ୍ଞା ଯଦି ବୁଝାଯାଏ ତା’ ହେଲେ ସୁରକ୍ଷିତ ପରିବେଶରେ ହିଁ ତାହା ସମ୍ଭବ ହୋଇଥାଏ ; ଏଥିରେ କୌଣସି ସନ୍ଦେହ ନାହିଁ । ସଶକ୍ତ ମହିଳାଟିଏ ଯଦି ସୁରକ୍ଷିତ ହୋଇ ନ ପାରିଲା ତା’ ହେଲେ ସଶକ୍ତିକରଣର ସଂଜ୍ଞା ସେଇ ଜାଗାରେ ଓଲଟା ହେଇଯାଏ । ତେଣୁ ଆମକୁ ସବୁ ବେଳେ ସଶକ୍ତିକରଣ ସାଙ୍ଗରେ ମହିଳାଙ୍କ ସୁରକ୍ଷିତ ପରିବେଶ କଥା ମଧ୍ୟ ଚିନ୍ତା କରିବାକୁ ପଡ଼ିବ । ମହିଳାଙ୍କ ସୁରକ୍ଷା ଏବଂ ଅଧିକାର ପାଇଁ ଅନେକ ଆଇନ ରହିଛି କିନ୍ତୁ ସେଥି ମଧ୍ୟରୁ ଅନେକ ଆଇନର ସଦୁପଯୋଗ ହୋଇପାରୁନାହିଁ । ତା’ ହେଲେ ସେଇ ଜାଗାରେ ଆଇନକୁ ପ୍ରତିରୋଧ କରାଯାଉଛି । ବିଶେଷ କରି ଏକ ପ୍ରଗତିଶୀଳ ଆଇନର ଯେତେବେଳେ ସଫଳ ରୂପାୟନ କରାଯାଇ ପାରେ ନାହିଁ ସେଇ ଜାଗାରେ ସମ୍ପୂର୍ଣ୍ଣ ରୂପରେ ମହିଳା ସଶକ୍ତିକରଣର ପ୍ରକୃତ ସଂଜ୍ଞା ଭୁଶୁଡ଼ିଯାଏ ।
କାର୍ଯ୍ୟlଳୟରେ ଯୌନ ଉତ୍ପୀଡ଼ନ ( ପ୍ରତିଷେଧକ, ନିରାକାରଣ ଏବଂ ନିୟନ୍ତ୍ରଣ ) ପାଇଁ ଆଭ୍ୟନ୍ତରୀଣ କମିଟି (ବିଶାଖା ଗାଇଡ଼ ଲାଇନ) ନାମରେ ନାମିତ ହୋଇଛି କିନ୍ତୁ ପ୍ରଶ୍ନ ଉଠୁଛି ଏହି ଆଇନ ବିଷୟରେ ସମସ୍ତେ ଅବଗତ ଅଛନ୍ତି କି?
ସମସ୍ତ ଶିକ୍ଷାନୁଷ୍ଠାନ ଓ ଅନ୍ୟ କାର୍ଯ୍ୟାଳୟରେ ଉକ୍ତ ଆଇନ ଅନୁଯାୟୀ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଅଛି କି? ଯଦି ଅଛି ସେ କମିଟି ବିଷୟରେ ବିଶେଷ କରି ମହିଳା କର୍ମଚାରୀମାନେ ସଚେତନ ଅଛନ୍ତି କି ? ଆଉ ଯଦି ନାହାନ୍ତି ତା’ ହେଲେ ଏ ଦାୟିତ୍ୱ କାହାର ! ତାହା ଏବେ ବଡ଼ ପ୍ରଶ୍ନ।
ପ୍ରତି ଦିନ ମହିଳାଙ୍କ ସଂଖ୍ୟା ସ୍ମାର୍ଟ ସିଟି ଭୁବେନେଶ୍ୱରରେ ବଢ଼ିବାକୁ ଲାଗିଛି। କିଏ ଉଚ୍ଚ ଶିକ୍ଷା ପାଇଁ ଆସୁଛି ତ ଆଉ କିଏ କର୍ମଜୀବି ମହିଳା ହିସାବରେ ଆସୁଛି । ସେହି ଅନୁଯାୟୀ ସ୍ମାର୍ଟ ସିଟି ଭୁବେନେଶ୍ୱରରେ ଅଧାରୁ ଅଧିକ କାର୍ଯ୍ୟାଳୟରେ ଆଇନର ବ୍ୟବସ୍ଥା ଅନୁଯାୟୀ କମିଟି ଗଢ଼ା ଯାଇନାହିଁ । ଏହି ଆଇନରେ ଦଶରୁ ଉର୍ଦ୍ଧ୍ୱ କର୍ମଚାରୀ ଥିବା ପ୍ରତ୍ୟକ ସରକାରୀ, ବେସରକାରୀ, କାର୍ଯ୍ୟାଳୟରେ ଏଇ କମିଟି ଗଠନ କରିବାକୁ ବାଧ୍ୟ କରାଗଲା କିନ୍ତୁ ଏବେ ବିଶେଷ କରି ବେସରକାରୀ ସଂସ୍ଥା ଗୁଡ଼ିକ ଏ ଦିଗ ପ୍ରତି ଆନ୍ତରିକତା ଦେଖାଉନାହାନ୍ତି ।
ଫେଡ଼େରେସେନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ନିକଟରେ କରିଥିବା ଏକ ସର୍ଭେରେ ଆମ ଭାରତ ବର୍ଷ ରେ ୬୯ ପ୍ରତିଶତ ସହରରେ କାର୍ଯ୍ୟ କରୁଥିବା ମହିଳା ଏ ଦିଗରେ ଅସୁବିଧାର ସମୁଖୀନ ହେଉଥିଲେ ହେଁ ପାଟି ଫିଟେଇବାକୁ କିମ୍ବା ଅଭିଯୋଗ କରନ୍ତି ନାହିଁ ବୋଲି ସ୍ୱୀକାର କରିଛନ୍ତି । ଯଦି ସହରର ଶିକ୍ଷିତ ମହିଳାମାନଙ୍କର ଏ ଅବସ୍ଥା ତା’ ହେଲେ ଗ୍ରାମାଞ୍ଚଳରେ ଓ ପଛୁଆ ଅଞ୍ଚଳରେ ଛୋଟ ଛୋଟ କାର୍ଯ୍ୟାଳୟରେ ମହିଳାମାନେ କି କି ସମସ୍ୟାର ସମ୍ମୁଖୀନ ହେଉଥିବେ ଏଇଥିରୁ ଆମେ ଅନୁମାନ କରିପାରିବା । ଏବେ ବି ଭୁବନେଶ୍ୱରରେ ଅନେକ ଘଟଣାମାନ ସାମ୍ନାକୁ ଆସୁଛି ଯେଉଁ ଜାଗାରେ ଅଭିଯୋଗ ଆସିଲା ପରେ ପିଛିଲା ତାରିଖରେ କମିଟି ଗଢ଼ା ଯାଉଛି । କମିଟିର ରିପୋର୍ଟ ମାଗିଲେ ମିଳୁନାହିଁ ଏବଂ ସବୁଠାରୁ ବଡ଼ କଥା ହେଲା ପୀଡ଼ିତାମାନଙ୍କର ଚାକିରି ଯିବାର ଭୟ ରହୁଛି ।
ଓଡ଼ିଶାରେ ଅନେକ ଘଟଣା ଆମର ଆଖି ଖୋଲିଦେଇଛି । ଆଇଆଇଟି ଭୁବେନେଶ୍ୱର, ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରୀ ଯୌନ ନିର୍ଯ୍ୟାତନାର ଘଟଣା କିନ୍ତୁ ଏ ଦିଗରେ ସଚେତନତାର ଅଭାବରେ ଏଇ ସମସ୍ୟା ବଢ଼ିବାରେ ଲାଗିଛି । ତେଣୁ ଆମେ ଏଇ ଜାଗାରେ କହିପାରିବା ଯେ ଏକ ପ୍ରଗତିଶୀଳ ଆଇନର କେଉଁଠି ନା କେଉଁଠି ଗତିରୋଧ କରାଯାଉଛି ; ଯାହା କି ଆମ ସମାଜର ମୁଖ୍ୟସ୍ରୋତରେ ଆସୁଥିବା ମହିଳାମାନଙ୍କ ସୁରକ୍ଷା ଆଉ ଅଧିକାରକୁ ନେଇ ପ୍ରଶ୍ନବାଚୀ ହୋଇପଡିଛି। ଏବେ ଯଦି ଦେଖିବା ପ୍ରାୟତଃ ଶିକ୍ଷାନୁଷ୍ଠାନ ଗୁଡିକରୁ ଗଣାମାଧ୍ୟମରେ ଏଇ ଭଳି ଖବରମାନ ଆସିବାରେ ଲାଗୁଛି । ଖାଲି ଶିକ୍ଷାନୁଷ୍ଠାନ ନୁହେଁ ସ୍ୱାସ୍ଥ୍ୟ, ରେଳ, ପ୍ରତିରକ୍ଷା, ନିର୍ମାଣ, ଶ୍ରମ, ପର୍ଯ୍ୟଟନ ସବୁ ଜାଗାରେ ଆମେ ଏ ଆଇନକୁ ନେଇ ପଛରେ ରହିଯାଇଛେ । ଏ ସବୁ ଜାଗାରେ ଆମେ ଜୋର ଦେଇ କହିପାରିବା ନାହିଁ ଯେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ରହିଛି । ସମୟ ଅନୁସାରେ ମହିଳାଙ୍କ ନିୟୋଜନ ସଂଖ୍ୟା ବଢ଼ିଛି କିନ୍ତୁ ଆମେ ସୁରକ୍ଷା ଦେବା ଦିଗରେ ଏବେ ବି ବହୁତ ପଛରେ ପଡିଯାଇଛେ । କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷାର ଅଭାବ ନିଶ୍ଚିତ ଭାବରେ ବିକାଶର ପ୍ରକ୍ରିୟାକୁ ଧିମା କରିଦେବ’ ଏହା ଅସମ୍ଭବ ନୁହେଁ l ତେଣୁ ପ୍ରତ୍ୟେକ ସଂସ୍ଥା ଏ ଦିଗ ପ୍ରତି ଯଥେଷ୍ଟ ଯତ୍ନବାନ ହେବା ଦରକାର । ପରିଶେଷରେ ପ୍ରତ୍ୟେକ କର୍ମଜୀବି ମହିଳା ଏ ଆଇନର କାର୍ଯ୍ୟକାରିତାକୁ ନେଇ ସଚେତନ ରହିବା ଦରକାର ; ତା’ ହେଲେ ସମସ୍ତ ମହିଳା ଙ୍କ ପାଇଁ କର୍ମକ୍ଷେତ୍ର ଏକ ସୁରକ୍ଷିତ ପରିବେଶ ହୋଇପାରିବ ।
Comments are closed.