Latest Odisha News

ସିକ୍କିମ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସହିଦ

ଢେଙ୍କାନାଳ:ସବୁ ଅପେକ୍ଷାର ଅନ୍ତ ଘଟିଲା । ସବୁ ଆଶା.. ସ୍ୱପ୍ନ..ଆଖି ଲୁହରେ ଧୋଇଗଲା । ଶେଷରେ ଖବର ଆସିଲା ସିକ୍ମିମରେ ପ୍ରଳୟଙ୍କରୀ ବର୍ଷାରେ ନିଖୋଜ ହୋଇଥିବା ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଏ ନେଇ ସହିଦ ସରୋଜ ଦାସଙ୍କ ପରିବାର ପକ୍ଷରୁ ସୂଚନା ଦିଆ ଯାଇଛି । ପରିବାର ଲୋକେ ବି ସରୋଜଙ୍କ ମୃତଦେହ ଚିହ୍ନଟ କରିଛନ୍ତି ।

ସରୋଜଙ୍କ  ସହିଦ ଖବର ଶୁଣିବା ପରେ ଘରେ କାନ୍ଦବୋବାଳିରେ ଫାଟି ପଡୁଛି । ସାରା ଗାଁରେ ଶୋକାକୁଳ ପରିବେଶ । ସରୋଜଙ୍କ ପତ୍ନୀ ଯେମିତି ସ୍ତବ୍ଧ ହୋଇ ଯାଇଛନ୍ତି । ଦୁଇଦିନ ତଳେ କଥାବାର୍ତ୍ତା କରିଥିବା ଲୋକଟି ଏମିତି ତାଙ୍କୁ ଏକା କରି ଚାଲିଗଲା ! ବିଶ୍ୱାସ କରିପାରୁ ନାହାନ୍ତି ।

ମଙ୍ଗଳବାର ରାତି ୧୦ଟାରେ ଘରକୁ ଫୋନ କରିତିଲେ ସରୋଜ ।  ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ । କହୁଥିଲେ, ସିକ୍କିମରେ ପ୍ରବଳ ବର୍ଷା ହେଉଛି  । ଗାଡ଼ି ଭିତରେ ସେ ଅନ୍ୟମାନଙ୍କ ସହ  ରହିଥିବା କଥା ପରିବାର ଲୋକଙ୍କୁ ବି କହିଥିଲେ  । ପରିବାର ଲାେକେ ଭୟଭୀତ ହୋଇପଡିଥିଲେ । ସେତିକି ବେଳରୁ ପୁଅ ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଥିଲେ ।

ପରେ  ଟିଭିରେ ଯବାନଙ୍କ ନିଖୋଜ ଖବର ଦେଖି ପୁଅ  ପାଖକୁ ଫୋନ କରିଥିଲେ ପରିବାର ଲାେକେ । ମାତ୍ର ସରୋଜଙ୍କ ମୋବାଇଲ୍ ଫୋନ ସୁଇଚ୍ ଅଫ୍ ଥିଲା ।  ୟୁନିଟ ସହ କଥା ହୋଇଥିଲେ ସରୋଜଙ୍କ ଭାଇ । ସେଠାରୁ ଜାଣିଥିଲେ, ସରୋଜ ନିଖୋଜ ଅଛନ୍ତି ।   ସେ ସୁରକ୍ଷିତ ଥିବେ ବୋଲି ସମସ୍ତଙ୍କ ମନରେ ଆଶା ଥିଲା।  ତାଙ୍କର ମଙ୍ଗଳ  କାମନା କରି ଗାଁରେ କୀର୍ତ୍ତନ ମଧ୍ୟ ଚାଲିଥିଲା। ଶେଷରେ ଆଜି  ସରୋଜ ସହିଦ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକ ।  ଭିଡିଓ କଲ୍‌ ଯୋଗେ ହାବିଲଦାର ସରୋଜ ଦାସଙ୍କ ମୃତଦେହ ପରିବାର ଲୋକ ଚିହ୍ନଟ କରିଛନ୍ତି।

ସୂଚନାଥାଉ କି, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପର ଓଡ଼ିଆ ଯବାନ ସରୋଜ ୨୦୧୨ରେ ସେନବାହିନୀରେ ସାମିଲ ହୋଇଥିଲେ ସରୋଜ  ।  ସେହି ବର୍ଷ ଫେବ୍ରୁଆରୀ ମାସରେ ତାଙ୍କର ବିବାହ ହୋଇଥିଲା । ଦୁଇମାସ ତଳେ ସେ ଘରକୁ ଆସିଥିଲେ । ଏବେ ତାଙ୍କ ସହିଦ ଖବର ଶୁଣିବା ପରେ ସାରା ଗାଁରେ ଶୋକର ଲହରୀ ଖେଳି ଯାଇଛି ।

 

 

Comments are closed.