Latest Odisha News

BREAKING NEWS

ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବ-୨୦୨୦ରେ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା ମନୋନୀତ

ଭୁବନେଶ୍ୱର: ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବର ପାନୋରମାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ ହୋଇଛି।

ଯାହା ଓଡିଶା ପାଇଁ ଆଉ ଏକ ଗୌରବ ଆଣିଦେଇଛି। ଏନେଇ
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି।

ଶହ ଶହ ବର୍ଷ ଧରି ବନ୍ୟା, ବାତ୍ୟା ଓ ମହାମାରୀ ସହିତ ସଂଘର୍ଷ କରି ଓଡିଆ ଜାତି ନିଜର ଅସ୍ତିତ୍ଵ ବଜାୟ ରଖିଛି। ପ୍ରକୃତି ସହିତ ଆମ ସଙ୍ଘର୍ଷର ପ୍ରତିଫଳନ ଆମେ ଦେଖିଛୁ ଆମର “ମାଳିକା ସାହିତ୍ୟ”ରେ । ସେହି ପୃଷ୍ଠଭୂମିରେ ତିଆରି ହୋଇଛି ଓଡିଆ ସିନେମା “କାଲିର ଅତୀତ”।

ଏହି ସିନେମାରେ ଓଡିଆ ମାଳିକା ପରମ୍ପରା ସହିତ ଆଜିର ସାମାଜିକ ଜୀବନକୁ ଯୋଡି ଏକ ଚମତ୍କାର କାହାଣୀ ଦର୍ଶାଇଛନ୍ତି ନୀଳମାଧବ। ପୂର୍ବରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନେକ ସିନେମା କରିଥିବା ନୀଳମାଧବ ପ୍ରଥମ ଥର ଲାଗି ଓଡିଆରେ ସଂପୂର୍ଣ୍ଣ ଭିନ୍ନ ସ୍ଵାଦ ଓ ଶୈଳୀ ର ଏହି ସିନେମା ତିଆରି କରିଛନ୍ତି।

ସମୁଦ୍ର ଗର୍ଭରେ କ୍ରମେ କ୍ରମେ ହଜି ଯାଉଥିବା “ସାତଭାୟା” ଅଞ୍ଚଳକୁ ନେଇ ଏହି ସିନେମା ନିର୍ମିତ ହୋଇଛି। ୨୦୦୫ ମସିହାରୁ ପ୍ରାୟ ୧୫ ଧରି ବିଭିନ୍ନ ପର‌୍ୟ୍ୟାୟରେ ଏହି ସିନେମାର ସୁଟିଂ ହୋଇଛି।

ଏହି ସିନେମାର ମୁଖ୍ୟ ନାୟକ “ଗୁନୁ” ନିଜର ପୁରୁଣା ଜୀବନକୁ ଫେରୁଛି। ତାର ପୁରୁଣା ଜୀବନରେ ରହିଛି ସମୁଦ୍ର ଭିତରେ ବୁଡି ଯାଇଥିବା ଗୋଟେ ଗାଁ ଓ ୧୯୯୯ ମହାବାତ୍ୟାରେ ଉଜୁଡି ଯାଇଥିବା ପରିବାର। ଗୋଟିଏ ବାତ୍ୟାରୁ ଆଉ ଗୋଟେ ବାତ୍ୟାର ସ୍ମୃତିକୁ ଫେରିବାର ଏକ ଚମତ୍କାର କାହାଣୀ ଏହି ସିନେମାରେ ରହିଛି।

ନିଜ ସିନେମା ବିଷୟରେ ଶ୍ରୀ ପଣ୍ଡା କୁହନ୍ତି – କାଲିର ଅତୀତ ହେଉଛି ଅତୀତର ଦର୍ପଣରେ ମଣିଷ ସମାଜର ଭବିଷ୍ୟତ କାହାଣୀ।

“ଆଇ ଆମ କଲାମ’’, “ଜଲ ପରୀ:, “କୌନ କିତନେ ପାନି ମେ”, “ବବଲୁ ହାପି ହୈ”, “କଡୱି ହାୱା’ ଓ “ହଲକା” ପରି ଚଳଚ୍ଚିତ୍ର ନିର୍ମାଣ କରି ଶ୍ରୀ ପଣ୍ଡା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହୋଇଛନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତଥା ପଦ୍ମଶ୍ରୀ, ଆନ୍ତର୍ଜାତିକ ସ୍ତରରେ ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର ହାସଲ କରିଛନ୍ତି।

 

Comments are closed.