Latest Odisha News

BREAKING NEWS

ଓଡ଼ିଆ ବୈଜ୍ଞାନିକଙ୍କ ଉଲ୍ଲେଖନୀୟ ଗବେଷଣା; ପୌରାଣିକ ସରସ୍ୱତୀ ନଦୀର ମିଳିଲା ସନ୍ଧାନ !

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଭାରତରେ ପ୍ରବାହିତ ହେଉଥିବା ଘଘର ନଦୀ ହିଁ ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀ, ଏହା ପ୍ରମାଣ କରିଛନ୍ତି ଓଡ଼ିଆ ବୈଜ୍ଞାନିକ ପ୍ରଫେସର ଜ୍ୟୋତିରଂଜନ ଶ୍ରୀଚନ୍ଦନ ରାୟ ଏବଂ ତାଙ୍କ ଅଧିନରେ ପିଏଚ୍.ଡି. କରୁଥିବା ଅହମ୍ମଦାବାଦସ୍ଥିତ ଫିଜିକାଲ୍ ରିସର୍ଚ୍ଚ ଲାବୋରାଟୋରିର ଅନିର୍ବାଣ ଚାଟାର୍ଜୀ ଓ ୨ ଜଣ ସାଥୀ ଗବେଷକ । ପୁରାଣରେ ବର୍ଣ୍ଣିତ ଗଙ୍ଗା-ଯମୁନା ଓ ସରସ୍ୱତୀ ତିନିଟି ପ୍ରମୁଖ ନଦୀ କୁହାଯାଉଥିବା ବେଳେ ଏହାର ସଙ୍ଗମସ୍ଥଳୀକୁ ତ୍ରିବେଣୀ ସଙ୍ଗମସ୍ଥଳୀ ବୋଲି କୁହାଯାଏ । ହେଲେ ଏହି ସଂଗମରେ ଗଙ୍ଗା ଓ ଯମୁନା ମିଶିଥିଲାବେଳେ ସରସ୍ୱତୀ ନଦୀର ଚିହ୍ନବର୍ଣ୍ଣ ନାହିଁ । ତେଣୁ ସରସ୍ୱତୀ ନଦୀ ପ୍ରକୃତରେ ଥିଲା କି ନାହିଁ ସେନେଇ ବହୁ ବାଦ ବିବାଦ ଉଠିଅଛି ।

ବିଭିନ୍ନ ସମୟରେ ବହୁ ଗବେଷକ ସରସ୍ୱତୀ ନଦୀକୁ ନେଇ ଭିିନ୍ନଭିନ୍ନ ବହୁ ମତ ଦେଇଛନ୍ତି । ହେଲେ ଓଡ଼ିଆ ଗବେଷକ ଡକ୍ଟର ଜ୍ୟୋତିରଂଜନ ଶ୍ରୀଚନ୍ଦନରାୟ ପ୍ରମାଣ ସହ କହିଛନ୍ତି ଯେ, ବର୍ତ୍ତମାନ ବହୁଥିବା ଘଘର ନଦୀର ଗତିପଥରେ ହିଁ ସରସ୍ୱତୀ ନଦୀ ବହୁଥିଲା, ଏହା ଏକ ଚିରସ୍ରୋତାନଦୀ ଥିଲା । ପ୍ରଫେସର ରାୟଙ୍କ ଏହି ଗବେଷଣାର ଫଳାଫଳ ସମ୍ବନ୍ଧିତ ସନ୍ଦର୍ଭ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପତ୍ରିକା ‘ନେଚର ସାଇଣ୍ଟିଫିକ୍’ ରିପୋର୍ଟରେ ପ୍ରକାଶ ପାଇଅଛି । ପ୍ରଫେସର ରାୟ ଆଇସୋଟେପ୍ ଜ୍ଞାନ କୌଶଳ ପ୍ରୟୋଗ କରି ଘଘର ନଦୀର ୩ ରୁ ୧୦ମିଟର ତଳେ ମିଳୁଥିବା ବାଲିର ଉତ୍ପତ୍ତି ନିର୍ଦ୍ଧାରଣ କରି ପ୍ରମାଣିତ କରିଛନ୍ତିଯେ, ପ୍ରାଚୀନ ଘଘର ନଦୀ ପ୍ରକୃତରେ ଚିରସ୍ରୋତା ଥିଲା ଏବଂ ହିମାଳୟର ବରଫ ଖଣ୍ଡର ତରଳ ହିମସ୍ରୋତରୁ ଜଳ ପାଉଥିଲା । ଘଘର ନଦୀ ପ୍ରାୟ ୩୦୦ କି.ମି. ପାକିସ୍ତାନ ସୀମା ପର୍ଯ୍ୟନ୍ତ ବିସ୍ତୃତ ପଠାରୁ ପାଉଁଶିଆ ରଙ୍ଗର ଖଦଡ଼ା ବାଲିସ୍ତର ଓ ବହୁ ପରିମାଣର ଧଳା ମାଇକା ପାଇଛନ୍ତି । ଏହି ପ୍ରକାରର ବାଲି ହିମାଳୟରୁ ନିର୍ଗତ ନଦୀଗୁଡ଼ିକରେ ଯଥା- ଗଙ୍ଗା, ଯମୁନା ଓ ସତ୍ଲେଜ୍ରେ ଦେଖିବାକୁ ମିଳିଥାଏ, ଯାହା ପ୍ରମାଣ କରୁଛି ଯେ, ଅତୀତରେ ଘଘର ଏକ ଶକ୍ତିସମ୍ପନ୍ନ ନଦୀ ଥିଲା । ଆଇସୋଟେପ୍ ଫିଙ୍ଗର ପ୍ରିଣ୍ଟିଙ୍ଗ୍ ଜ୍ଞାନ କୌଶଳ ମାଧ୍ୟମରେ ପ୍ରମାଣ ମିଳିଛି ଯେ, ଏହି ବାଲି ଓ ମାଇକାର ଜନ୍ମ ବରଫାବୃତ ଉଚ୍ଚତମ ହିମାଳୟର ପଥରରୁ ସୃଷ୍ଟି ହୋଇଛି । ହିମାଳୟରୁ ବାହାରିଥିବା ନଦୀଗୁଡ଼ିକରେ ବର୍ଷସାରା ଜଳ ପ୍ରବାହିତ ହୋଇଥାଏ, ଏହି ନଦୀ କେବଳ ବର୍ଷାଋତୁ ଉପରେ ନିର୍ଭର କରେନାହିଁ । ମାତ୍ର ଏବେ ଘଘର ନଦୀ କେବଳ ମୌସୁମୀ ବର୍ଷା ଉପରେ ନିର୍ଭର କରୁଅଛି ।

ଆଉ ଏବେ ହିମାଳୟ ସହ ଏହାର କୌଣସି ସମ୍ପର୍କ ନାହିଁ କିମ୍ବା ଅତୀତରେ ନଥିଲା । ପୁରାତନ ଘଘର ନଦୀର ବାଲିରୁ ମିଳିଥିବା ସାମୁକାର ସ୍ପ୍ରୋନସିଅମ୍ ଆଇସୋଟପିକ୍ କମ୍ପୋଜିସନ୍ରୁ ଜଣାପଡ଼ିଛି ଯେ, ଘଘର ନଦୀ ପଡ଼ୋଶୀ ନଦୀ ସତ୍ଲେଜ୍ ଠାରୁ ପାଣି ପାଉଥିଲା ଓ ପରବର୍ତ୍ତୀ ସମୟରେ ସମ୍ଭବତଃ ସତ୍ଲେଜ୍ ଶାଖା ନଦୀର ଜଳଧାରା ବନ୍ଦ ହୋଇଯିବା ଦ୍ୱାରା ପ୍ରାଚୀନ ଘଘର ଜଳପ୍ରବାହ ସମ୍ପୂର୍ଣ୍ଣ ହ୍ରାସ ପାଇଥିଲା । ଅପରପକ୍ଷେ ହରପ୍ା ସଭ୍ୟତାର ବସତିମାନଙ୍କର ଗତିଶୀଳତାକୁ ବିଶ୍ଳେଷଣ କରି ଏହି ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ପ୍ରାଚୀନ ଘଘର ର ପୁର୍ନଜୀବିତ ସମୟରେ (୯ ହଜାରରୁ ୪୫୦୦ ବର୍ଷ ପୂର୍ବେ) ପ୍ରାରମ୍ଭିକ ହରପ୍ା ସଭ୍ୟତା ଏହି ନଦୀ କୂଳରେ ହିଁ ଗଢ଼ି ଉଠିଥିଲା । ଏହି ପୁର୍ନଜୀବିତ ଘଘର ନଦୀ ହିଁ ପ୍ରାଚୀନ ଭାରତର ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀ ।

ସଭ୍ୟତାର ପରିପକ୍ୱତା ସମୟରେ (୪୬୦୦ ଠାରୁ ୩୯୦୦ବର୍ଷ ପୂର୍ବେ) ସେହି ନଦୀର ପ୍ରବାହ ହ୍ରାସ ପାଇଥିଲା । ଏହି ନଦୀର ନିସ୍କ୍ରିୟ ହେବା ସମ୍ଭବତଃ ସଭ୍ୟତାର କ୍ଷୟକୁ ଦର୍ଶାଉଅଛି, ଯାହାକି ୪୨୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ପୃଥିବୀ ବ୍ୟାପୀ ଶୁଷ୍କ ଜଳବାୟୁର ପରିଣତି । ଏହି ଗବେଷଣାରୁ ଜଣାପଡ଼ିଛି ଯେ, ହର୍ପ୍ପା ସଭ୍ୟତା ହିମାଳୟରୁ ନିର୍ଗତ ସରସ୍ୱତୀ ନଦୀକୂଳରେ ହିଁ ଗଢ଼ିଉଠିଥିଲା ।

ଡକ୍ଟର ଜ୍ୟୋତିରଂଜନ ରାୟ ଭୁବନେଶ୍ୱର ମହାନଗର ନିଗମର ନହରକଣ୍ଟା ଗ୍ରାମନିବାସୀ ପ୍ରବୀଣ ଶିକ୍ଷାବିତ୍ ଜୟଦେବ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସ୍ୱର୍ଗତଃ ଡଃ ପ୍ରଫୁଲ୍ଲ କୁମାର ଶ୍ରୀଚନ୍ଦନ ରାୟ ଓ କମଳକୁମାରୀ ଦେବୀଙ୍କ ପୁତ୍ର ଓ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ୱର୍ଗତଃ ଗୋବିନ୍ଦ ତେଜ୍ ଓ ରମାଦେବୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡଃ ସୁଷମା ତେଜ୍ଙ୍କ ଜାମାତା । ଡଃ ରାୟଙ୍କ ଗବେଷଣାଲବ୍ଧ ସନ୍ଦର୍ଭ ନେଇ ତାଙ୍କ ଜନ୍ମମାଟି ନହରକଣ୍ଟା ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି ଓ ଅଞ୍ଚଳବାସୀ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

Comments are closed.