Latest Odisha News

BREAKING NEWS

୩ ବର୍ଷର ବ୍ୟବଧାନ ପରେ ନୂଆଦିଲ୍ଲୀରେ ‘ଓଡ଼ିଶା ପର୍ବ-୨୦୨୩’

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ପୁନଃ ପ୍ରଦର୍ଶିତ ହେବ ଓଡ଼ିଶାର ଅଦ୍ୱିତୀୟ କଳାସଂସ୍କୃତି ଓ କାରିଗରୀ । ପାରମ୍ପରିକ ଲୋକକଳା ଓ ଲୋକନୃତ୍ୟରେ ଦୁଲୁକିବ ମଞ୍ଚ । ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଜାତୀୟ ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି ‘ଓଡ଼ିଶା ପର୍ବ-୨୦୨୩’ । ଯାହା ହେଉଛି ପରିଚୟ ଓଡ଼ିଆ ଅସ୍ମିତାର, ଗାଥା ଗାଏ ଯିଏ ଓଡ଼ିଆ ସ୍ୱାଭିମାନ, ଗୌରବପୂର୍ଣ୍ଣ ଐତିହ୍ୟ ଓ ଉଜ୍ଜ୍ୱଳ ପରମ୍ପରାର ।

କରୋନା ମହାମାରୀର ଦୁର୍ଦ୍ଦିନକୁ ପଶ୍ଚାତ୍‌ପଦ କରି ଏକ ନୂତନ ଦିଶାଭିମୁଖୀ ମାନବସମାଜ ମଧ୍ୟରେ ଏହି କାର୍ଯ୍ୟକ୍ରମ ନା କେବଳ ହର୍ଷୋଲ୍ଲାସର ବାତାବରଣ ସୃଷ୍ଟି କରିବ । ତାହା ବ୍ୟତୀତ ସେମାନଙ୍କ ମାନସପଟଳରେ ଏହା ଆଙ୍କିଦେବ ଉତ୍କଳୀୟତାର ଏକ ଅପୂର୍ବ ଅଲିଭା ପଟ୍ଟଚିତ୍ର । ୨୦୧୭ ମସିହାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ଉଦ୍ୟାନରେ ଆରମ୍ଭ ହୋଇଥିବା ‘ଓଡ଼ିଶା ପର୍ବ’ କରୋନା ଯୋଗୁଁ ଗତ ୨୦୨୦ ମସିହାରେ ବନ୍ଦ ରହିଥିଲା ଓ ୨ ବର୍ଷ ଧରି ଏହା ଆଭାସୀ ମାଧ୍ୟମରେ ପ୍ରସାରିତ ହୋଇଥିଲା ।

ଚଳିତ ବର୍ଷ ମାର୍ଚ୍ଚ ମାସ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ତ୍ରିଦିବସୀୟ ଉତ୍ସବ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଅଣଲାଭକାରୀ, ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ତ୍ରିଦିବସୀୟ ସାଂସ୍କୃତିକ ମହାକୁମ୍ଭ ଓଡ଼ିଶାର ଅତୁଳନୀୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ସଙ୍ଗୀତ, ଲୋକନୃତ୍ୟ, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପର ଏକ ଅଦ୍ଭୁତପୂର୍ବ ସଙ୍ଗମର ପୁନଃ ପ୍ରଦର୍ଶନ କରିବ ଦିଲ୍ଲୀବାସୀଙ୍କ ସମ୍ମୁଖରେ ।

୨୪ ତାରିଖ ସନ୍ଧ୍ୟାରେ ଦେଶ ବିଦେଶରୁ ବିଭିନ୍ନ କ୍ଷେତ୍ରରେ ସୁଖ୍ୟାତି ଅର୍ଜ୍ଜନ କରିଥିବା ଓଡ଼ିଆ ବୁଦ୍ଧିଜୀବୀ ତଥା ଖ୍ୟାତନାମା ବ୍ୟକ୍ତିତ୍ୱମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ । ଉଦ୍‌ଘାଟନୀ ଉତ୍ସବର ପ୍ରଥମ ସନ୍ଧ୍ୟାରେ ପରିବେଷିତ ହେବ ‘ଆହେ ନୀଳଶୈଳ’ । ଏହି ଅଦ୍ଭୁତ ନାଟକରେ ନାଏକ ନାଜିମ୍‌ର ଲୋଲୁପଦୃଷ୍ଟିରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ତତ୍କାଳୀନ ଗଜପତି ରାମଚନ୍ଦ୍ରଦେବଙ୍କ ନିରନ୍ତର ପ୍ରୟାସ ଓ ଏହି ସମୟରେ ସେ ଭୋଗ କରିଥିବା ନାନା ବାଧାବିଘ୍ନକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି ।

ଦ୍ୱିତୀୟଦିନ ମଞ୍ଚରେ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ଏବଂ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା ‘ଚିତ୍ରଭିତାନମ’ ପରିବେଷଣ କରାଯିବ । ତତ୍‌ପଶ୍ଚାତ ‘ଆଦି ବାଦ୍ୟ’ଙ୍କ ଲୋକବାଦ୍ୟ ଏବଂ ଗୌରବମୟ ଆଦିବାସୀ ନୃତ୍ୟ ‘ସ୍ୱରମୂର୍ଚ୍ଛନା’ ମଞ୍ଚକୁ କରିବ ମହିମାମଣ୍ଡିତ । ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ଶାଶ୍ୱତ ଯୋଶୀଙ୍କ ସହ ତାଙ୍କ ଶିଷ୍ୟମାନେ ପ୍ରକୃତ ଲୋକଧ୍ୱନି ଓ ପ୍ରକୃତ ଓଡ଼ିଶା ଆଧାରିତ ‘ତିକ୍‌ତା କିତା’ ପ୍ରଦର୍ଶନ କରିବେ> ସର୍ବଶେଷରେ ଲୋକପ୍ରିୟ ଯୁବ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ସଙ୍ଗୀତର ତାଳରେ ଝୁମିବେ ଦିଲ୍ଲୀବାସୀ ।

ଉଦ୍‌ଯାପନୀ ଉତ୍ସବରେ ସର୍ବପ୍ରଥମେ ଗୁରୁ ଶାଶ୍ୱତ ଯୋଶୀ ଏବଂ ଗ୍ରୁପ୍‌ଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ‘ଚିରନମସ୍ୟ ପରଂବ୍ରହ୍ମ’ ମଞ୍ଚସ୍ଥ ହେବ । ପରେ ପଶ୍ଚିମ ଓଡ଼ିଶାର ସଙ୍ଗୀତ ଅନୁଷ୍ଠାନ ‘ଆଦିଧୂନ୍‌’ର ସଞ୍ଚାଳକ ରବି ରତନ ସାହୁ ଓ ଗ୍ରୁପ୍‌ଙ୍କ ଦ୍ୱାରା ‘ମହାନଦୀ- ଓଡ଼ିଶା ଓ ସଂସ୍କୃତି’ ଏବଂ ଗୁରୁ ଅନିରୁଦ୍ଧଙ୍କ ଦ୍ୱାରା ପ୍ରସ୍ତୁତ ଛଉ ଓ ପାଇକ ନୃତ୍ୟର ଏକ ଅପୂର୍ବ ସଂଯୋଜନା ‘ଅନନ୍ୟ ଓଡ଼ିଶା’ ପରିବେଷିତ ହେବ । ଯୁବତାରକା ଅନନ୍ୟା ଶ୍ରୀତମ ନନ୍ଦଙ୍କ ସୁଫିଆନା ସଙ୍ଗୀତ ଏବଂ ସନ୍ଦୀପ ମହାନ୍ତିଙ୍କ ତାଳବାଦ୍ୟ ଅନ୍ତିମ ସନ୍ଧ୍ୟାରେ ଶୋଭାକୁ ସହସ୍ର ଗୁଣିତ କରିବ ।

ଏତଦ୍‌ବ୍ୟତୀତ ମଞ୍ଚ ତଳେ ଦେଖିବାକୁ ମିଳିବ ଓଡ଼ିଶାର ପ୍ରତି ଜିଲ୍ଲାରୁ ଆସିଥିବା ଲୋକନୃତ୍ୟର ଝଲକ । ଏଥିରେ ଗଞ୍ଜାମ ଜିଲ୍ଲାର ଯୋଡ଼ିଶଙ୍ଖ, ଦଣ୍ଡ, ପଶୁମୁଖା ନୃତ୍ୟ ଓ ରଣପା, ଆଦିବାସୀ ବହୁଳ ମାଲକାନଗିରିର ପ୍ରାଚୀନ ବଣ୍ଡା ଓ ସୁନ୍ଦରଗଡ଼ର ଓରାମ୍ ନୃତ୍ୟ, ପୁରୀର ସାହିଯାତ ଓ ଘୋଡ଼ାନାଚ, ପଶ୍ଚିମଓଡ଼ିଶାର ଲୋକନୃତ୍ୟ, ଖୋର୍ଦ୍ଧା ଜିଲ୍ଲାର ସାମରିକ କଳା ଓ ପାଇକ ନାଚ ଆଦି ପ୍ରଦର୍ଶନ କରାଯିବ ।

ଏହାବ୍ୟତୀତ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସ୍ୱାଦିଷ୍ଟ ବ୍ୟଞ୍ଜନ, ମିଷ୍ଠାନ୍ନ, ପଥପ୍ରାନ୍ତ ଖାଦ୍ୟ ଏକତ୍ର ଏକସ୍ଥାନରେ ପରଷାଯିବ । ଏହା ଓଡ଼ିଶା ପର୍ବକୁ ଆସିଥିବା ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଖାଦ୍ୟପ୍ରେମୀଙ୍କୁ ନିଆରା ଓ ଖାଣ୍ଟି ଓଡ଼ିଆ ସ୍ୱାଦ ପ୍ରଦାନ କରିବ ।

Leave A Reply

Your email address will not be published.