Latest Odisha News

ଓଡ଼ିଆ ସଂସ୍କୃତିରେ ବୋଇତ ବନ୍ଦାଣ…

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡିଶାର ପ୍ରାୟତଃ ସ୍ଥାନରେ ଡଙ୍ଗାଭସା ବା  ବୋଇତ ବନ୍ଦାଣ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଥାଏ । ଏହି ଉତ୍ସବ କାହିଁ କେଉଁ ଅନାଦି କାଳରୁ ଉତ୍କଳୀୟ ପରମ୍ପରାରେ ସହ ଜଡିତ ।

ଏହି ଦିନ ବ୍ରହ୍ମମୂହୁର୍ତ୍ତରୁ ଉଠି ଲୋକେ ବିଭିନ୍ନ ପ୍ରକାରର ବୋଇତ ସହ ଗୁଆ , ଧୂପ , ଦୀପ ଦେଇ ନଦୀ , ନାଳ କିମ୍ବା ପୋଖରୀ ଅଭିମୁଖେ ବାହାରି ଥାନ୍ତି । ବାସ୍ତବରେ ଏହି ପରମ୍ପରାରୁ ଅନେକ କିଛି କଥା ଜଡିତ ମାତ୍ର ଏଥି ମଧ୍ୟରୁ ଏକ ପ୍ରାମାଣିକ କଥା ହେଲା ଏଥି ସହ ଜଡିତ ଆମର ସାଧବ ପୁଅମାନଙ୍କ ସମୃଦ୍ଧ ବାଣିଜ୍ୟ ।

ସେତେବେଳେ ଉତ୍କଳୀୟ ବାସି କୃଷି ସହିତ ବ୍ୟବସାୟ ବାଣିଜ୍ୟ କରି ପରିବାର ପୋଷଣ କରୁଥିଲେ । ଯେହେତୁ ଆମ ଚାଷ କାର୍ଯ୍ୟ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିଲା, ତେଣୁ କାର୍ତ୍ତିକ ମାସ ଶେଷ ଆଡକୁ ଧାନ ଆଦି ଫସଲ ଅମଳ ହୋଇଯାଉ ଥିଲା ଏବଂ କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ସମୁଦ୍ର ଯାତ୍ରା ପାଇଁ ମଧ୍ୟ ପଥ ସୁଗମ ହୋଇଯାଉଥିଲା ।

ଏହି ସମୟରୁ ଆକାଶ ମେଘମୁକ୍ତ ହେବା ସାଙ୍ଗକୁ ପଶ୍ଚିମ ପବନ ବୋଇତ କୁ ସମୁଦ୍ର ମଧ୍ୟରେ ବୋହି ନେବାକୁ ସାହାଯ୍ୟ କରୁଥିଲା । ତେଣୁ ଆମ ରାଜ୍ୟର ବଣିକ ସାଧବ ପୁଅ ଏହି ସମୟରୁ ଜାଭା , ସୁମାତ୍ରା , ବାଲି , କାମ୍ବୋଡିଆ , ବର୍ଣ୍ଣିଓ , ମାଲେସିଆ , ଥାଇଲାଣ୍ଡ , ଫିଲିପାଇନ୍ସ , ଏବଂ ଶ୍ରୀଲଙ୍କା ଆଦି ଦେଶକୁ ଅଭିମୁଖେ ବାହାରି ବାଣିଜ୍ୟ ବ୍ୟବସାୟ କରୁଥିଲେ |

ସାଧବ ପୁଅ ବ୍ୟବସାୟ କୁ ବାହାରିଲା ବେଳେ ସେମାନଙ୍କ ପ୍ରିୟଜନ ତାଙ୍କ ସମୃଦ୍ଧି ଓ ସଫଳତା ନିମନ୍ତେ ବୋଇତ ବନ୍ଦାଣ କରୁଥିଲେ । ଏହି ସାଧବ ମାନଙ୍କ ଦ୍ଵାରା ଆମ ରାଜ୍ୟ ର କଳା ସଂସ୍କୃତି ବିଦେଶ ର ପ୍ରଚାର ପ୍ରସାର ହେବା ସହ ଆମ ରାଇଜକୁ ସମୃଦ୍ଧ କରିବାରେ ମଧ୍ୟ ବେଶ ସହାୟକ ହୋଇଥିଲା। ଆଜି ଏହି ଗୌରବମୟ ଗାଥା କୁ ସ୍ମରଣୀ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି।

Comments are closed.