Latest Odisha News

BREAKING NEWS

ଓଡ଼ିଆ ପୁଅଙ୍କୁ ଜାତୀୟ ଯୁବ ଭୂ-ବିଜ୍ଞାନୀ ପୁରସ୍କାର, ରାଷ୍ଟ୍ରପତିଙ୍କଠୁ ଗ୍ରହଣ କଲେ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ଯୁବ ବୈଜ୍ଞାନିକ ଡକ୍ଟର ଅମୀୟ କୁମାର ସାମଲଙ୍କୁ ନ୍ୟାସନାଲ ୟଙ୍ଗ ଜିଓସାଇଣ୍ଟିଷ୍ଟ ଆୱାର୍ଡ-୨୦୨୨ ବା ଜାତୀୟ ଯୁବ ଭୂ-ବିଜ୍ଞାନୀ ପୁରସ୍କାର ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲା ସମେତ ବଡ଼ଚଣା ମାଟି ପାଇଁ ଗର୍ବ ଆଣିଲେ ମାଟିର ପୁଅ ଅମୀୟ କୁମାର ସାମଲ। ରାଷ୍ଟ୍ରପତି ଭବନରେ ଅମୀୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଭୂ-ବିଜ୍ଞାନୀ ପୁରସ୍କାର ପ୍ରଦାନ କରିଛନ୍ତି।

ବଡ଼ଚଣା ମାଟିରୁ ନିଜର ଯୋଗ୍ୟତା ଆରମ୍ଭ କରି ଏବେ ଉତ୍ତରପ୍ରଦେଶର ବାରଣାସୀଠାରେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି ଅମିୟ। ଡକ୍ଟର ସାମଲ ପ୍ରଥମେ କେନ୍ଦ୍ରାପଡା କଲେଜ ଓ ପରେ ରେଭେନ୍ସା କଲେଜରୁ ପାଠପଢା ସାରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଜିଓଲୋଜି ଆସିଷ୍ଟାଣ୍ଟ ପ୍ରଫେସର କାର୍ଯ୍ୟରେ ଅଛନ୍ତି। ଭୂ ବିଜ୍ଞାନ କ୍ଷେତ୍ରରେ ଗବେଷଣା ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଦେଶର ଭୂ-ବିଜ୍ଞାନୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟତା ପାଇଁ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି। ଅପରପକ୍ଷେ ଅମୀୟଙ୍କ ଜେଜେ ଦିବଙ୍ଗତ ବୈଦନାଥ ସାମଲ ବିଶିଷ୍ଟ ସମାଜ ସେବି ଭାବେ ବେଶ ପରିଚିତ। ଅମିୟ ସାମଲ ପୁରସ୍କୃତ ହେବା ପରେ ବାଲି ପଡ଼ିଆ ଗ୍ରାମ ସହ ସମଗ୍ର ଯାଜପୁର ଜିଲ୍ଲାକୁ ପ୍ରଶଂସାର ସୁଅ ଛୁଟିଛି।

Comments are closed.