Latest Odisha News

ଦାଦନ ଖଟିବାକୁ ଯାଇ ପୁଣି ଗଲା ଓଡିଆ ପୁଅ ଜୀବନ

କେନ୍ଦୁଝର: ସରୁନି ଦାଦନ ଦୁଃଖ । ବୁଢା ବୟସରେ ଭେଣ୍ଡିଆ ପୁଅ ମୁହଁରେ ନିଆଁ ଦେବେ ବାପା ମାଆ । ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ପରିବାରର ଦୁଃଖ ଦୂର କରିବାକୁ ସ୍ବପ୍ନ ନେଇ ଯାଇଥିବା ପୁଅ ଆଜି ସବୁଦିନ ପାଇଁ ପରିବାରଠୁ ଦୂରକୁ ଚାଲିଗଲେ । ପୁଣି ଏଭଳି କିଛି କରୁଣ ଦାଦନ ଦୁଃଖ ପାଇଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଶାଳନିଆ ପଞ୍ଚାୟତ ବିଷ୍ଣୁପୁର ଗାଁ ନିବାସୀ ସନାତନ ମହାକୁଡ଼ଙ୍କ ପୁଅ ରାଜେଶ । ରାଜେଶ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ ଦେହ ଝୁଳନ୍ତା ଅବସ୍ଥାରେ ମିଳିଛି । ଯାହାପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ପ୍ରାୟ ୫ ବର୍ଷ ପୂର୍ବେ ରୋଜଗାର ପାଇଁ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ ରାଜେଶ। କିନ୍ତୁ ବୁଧବାର ରାଜେଶ ମୃତ୍ୟୁ ବରଣ କରିଥିବା ସେଠାକାର ବାମନାଲି ଥାନା ପୋଲିସ ସୂଚନା ଦେଇଥିବା ପରିବାର ଲୋକେ କହିଛନ୍ତି । ତେବେ ରାଜେଶ ରହୁଥିବା ଭଡା ଘରେ ଏକ ଫ୍ୟାନରେ ଝୁଲିଥିବା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ପୋଲସ୍ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକେ । ପରିବାର ଲୋକେ ଏହାକୁ ହତ୍ୟା ଅଭିଯୋଗ କରିଥିବା ବେଳେ ଶାଳନିଆ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ଏପରି ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡି ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଦାଦନ ଖଟିବାକୁ ଯାଉଥିବା ବେଳେ ଟ୍ରେନରୁ ଖସି ଆଉ ଜଣେ ଓଡିଆ ପୁଅଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସୁନାରିପଲ୍ଲୀ ଗାଁର ଜଣେ ଯୁବକ ବୋଲି ସୂଚନା ମିଳିଛି । ଦାଦନ ଖଟିବାକୁ ଚେନ୍ନାଇ ଯିବାବେଳେ ବିଜୟୱାଡ଼ା ନିକଟରେ ଟ୍ରେନ୍‌ରୁ ଖସି ତାଙ୍କର ମୃତ୍ୟୁ  ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.