ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମଲେଖାଇବା ପାଇଁ ଶନିବାର ପ୍ରକ୍ରିୟା ଶେଷ ହେଉଛି। ହେଲେ ପ୍ରଥମ ପର୍ଯ୍ୟାୟରେ ଯୁକ୍ତ ଦୁଇ ନାମଲେଖାଇ ପାରିନଥିଲେ କିଛି ଛାତ୍ରଛାତ୍ରୀ। ଏହା ଏବେ ସରକାରଙ୍କ ନଜରକୁ ଆସିଛି। ତେଣୁ ଇ-ଆଡମିଶନ ପାଇଁ ପଞ୍ଜୀକରଣ କରି ପାରି ନ ଥିବା ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଆଉ ଥରେ ନାମଲେଖାଇବାକୁ ସୁଯୋଗ ଅନୁମତି ଦିଆଯାଇଛି। ଶୁକ୍ରବାର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।
ମିଳିଥିବା ସୂଚନା ଅନୁଯାୟୀ, ବାଦ୍ ପଡ଼ିଥିବା ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୦ରୁ ୨୭ ତାରିଖ ମଧ୍ୟରେ ଦ୍ୱିତୀୟ ପ୍ରୟାସ ଭାବେ ଉଚ୍ଚଶିକ୍ଷା ପାଇଁ କଲେଜ ଗୁଡ଼ିକରେ ଇ-ଆଡମିଶନ୍ ପାଇଁ ଆବେଦନ କରିପାରିବେ।
ଅଧିକ ଅପଡେଟ୍ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ www.samsodisha.gov.inରେ ଲଗ୍ଇନ୍ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀ ୨୭ ତାରିଖ ରାତି ୧୧ଟା ୫୫ ସୁଦ୍ଧା ସାମ୍ସ ଓ୍ୱେବସାଇଟରେ ଥିବା କମନ ଆପ୍ଲିକେଶନ ଫର୍ମ ପକାଇପାରିବେ। ଅକ୍ଚୋବର ୧ ତାରିଖ ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରଛାତ୍ରୀ ଅକ୍ଚୋବର ସକାଳ ୯ଟାରୁ ୧୩ ତାରିଖ ଅପରାହ୍ନ ୫ଟା ମଧ୍ୟରେ ନାମ ଲେଖାଇ ପାରିବେ।ଏହାପରେ ବଳକା ସିଟରେ ନାମଲେଖାଇବାକୁ ୧୮ ତାରିଖରେ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ।
୧୮ରୁ ୧୯ ତାରିଖ ମଧ୍ୟରେ ନାମଲେଖା ପଞ୍ଜିକରଣ ଓ ୨୦ ତାରିଖ ପୂର୍ବାହ୍ନ ୧୧ଟା ୫୦ରେ ସ୍ପଟ ନାମଲେଖା ପାଇଁ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ୨୦ ତାରିଖ ଅପରାହ୍ନ ୨ଟାରୁ ୨୧ ତାରିଖ ଅପରାହ୍ନ ୪ଟା ଭିତରେ ନାମ ଲେଖାଇ ପାରିବେ।
ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ୩, ୪୪, ୩୪୩ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୬୭, ୯୧୯ ଛାତ୍ରଛାତ୍ରୀ ମନୋନୀତ ହୋଇଥିଲେ।
Comments are closed.