ଭୁବନେଶ୍ୱର: ଓଡ଼ିଶା ହାଇଲେବୁଲ କ୍ଲିୟରାନ୍ସ ଅଥରିଟି (HLCA) ୫ଟି ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ମେକ୍ ଇନ ଓଡ଼ିଶା ସମ୍ମିଳନୀ ସମୟରେ ଆସିଥିବା ୩୫,୭୬୦ କୋଟି ଟଙ୍କାର ଏହି ପ୍ରକଳ୍ପକୁ ଏଚଏଲସିଏ ଶନିବାର ଅନୁମୋଦନ କରିଛନ୍ତି ।
ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏଚଏଲସିଏ ବୈଠକରେ ଏସବୁ ପ୍ରକଳ୍ପକୁ ଅନୁମୋଦନ ମଳିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟର ପ୍ରାୟ ୩୮, ୧୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ୫ଟି ପ୍ରକଳ୍ପ ମଧ୍ୟରେ ୨ଟି ଷ୍ଟିଲ ସେକ୍ଟର, ଗୋଟିଏ ଗ୍ରୀନ ଏନର୍ଜି,ଗୋଟିଏ ପ୍ରୋଜେକ୍ଟ କେମିକାଲ ସେକ୍ଟର ଏବଂ ଗୋଟିଏ ଟେକ୍ସଟାଇଲ ସେକ୍ଟର ରହିଛି । ଏହି ଶିଳ୍ପ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଏବଂ କେନ୍ଦୁଝରରେ ପ୍ରତିଷ୍ଠା ହେବା ପାଇଁ ସବୁଜ ସଙ୍କେତ ମିଳିଛି
ଢେଙ୍କାନାଳ ଜିଲ୍ଲାର ନେଉଳପୋଇଠାରେ ଓ୍ବାରି ଏନର୍ଜି ପକ୍ଷରୁ ପ୍ରସ୍ତାବିତ ସୋଲାର ଉପକରଣ ଉତ୍ପାଦନ କାରଖାନା ରହିଛି। ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କାର ନିବେଶ କରାଯିବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏଥିରେ ୧୪ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ । ଏହା ପୂର୍ବ ଭାରତର ବୃହତ୍ତମ ଉତ୍ପାଦନ କ୍ଷମତା ରଖିଥିବା କାରଖାନା ହେବ ।
ସେହିପରି ସୁପର ସ୍ମେଲଟର ଲିମିଟେଡର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି । ଏହି କମ୍ପାନୀ କେନ୍ଦୁଝରରେ ୫,୪୩୬.୧୦ କୋଟି ଟଙ୍କାର ଷ୍ଟିଲ ପ୍ଲାଣ୍ଟ କରିବ । ଏହି କମ୍ପାନୀ କାର୍ଯ୍ୟକାରୀ ହେଲେ ୧୯ ହଜାର ଲୋକ ନିଯୁକ୍ତି ସୁଯୋଗ ପାଇବେ ।
ଏହାବ୍ୟତୀତ HLCA ଅନ୍ୟ ଏକ ଷ୍ଟିଲ ପ୍ରକଳ୍ପକୁ ଅନୁମୋଦନ କରିଛି । ଏହି ଷ୍ଟିଲ ପ୍ରକଳ୍ପ କାଶଭି ପାୱାର ଏବଂ ଷ୍ଟିଲ ପ୍ରାଇଭେଟ ଲିମିଟେଡ ପକ୍ଷରୁ କେନ୍ଦୁଝରରେ କରାଯିବ । ଏହି ପ୍ରକଳ୍ପରେ ୧୬ ଶହ କୋଟି ବିନିଯୋଗ କରାଯିବ ଏବଂ ୩, ୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିବ ।
HLCA ଭଦ୍ରକ ଜିଲ୍ଲାରେ ଏକ ଟେକନିକାଲ ଟେକ୍ସଟାଲ ସେକ୍ଟର ପ୍ରକଳ୍ପକୁ ଅନୁମୋଦନ କରିଛି । ଏମସିପିଆଇ ପ୍ରାଇଭେଟ ଲିମିଟେଡ ଏହି ପ୍ରକଳ୍ପ ପାଇଁ ୨, ୨୨୩.୨୫ କୋଟି ବିନିଯୋଗ କରିବ ଏବଂ ଏଥିରେ ୧୧୫୦ ଜଣଙ୍କ ପାଇଁ ନିଯୁ୍କ୍ତି ସୁଯୋଗ ସୃଷ୍ଟି ହେବ ।
ସେହିପରି କେମିକାଲ ସେକ୍ଟରରେ ଗୋଟିଏ ପ୍ରକଳ୍ପକୁ କମିଟି ଅନୁମୋଦନ କରିଛି ଯାହା ୫୦୦ ଲୋକଙ୍କୁ କର୍ମନିଯୁ୍କ୍ତି ଦେବ । ଧୁନସେରୀ ପେଟ୍ରୋକେମ ଇଣ୍ଡଷ୍ଟ୍ରି ଲିମିଟେଡ ଏହି ପ୍ରକଳ୍ପ ଜଗତସିଂହପୁରରେ କରିବ ଏବଂ ଏଥିପାଇଁ ୧୫ ଶହ କୋଟି ଟଙ୍କା ବିନିଯୋଗ କରିବ ବୋଲି ଜଣାପଡିଛି ।
Comments are closed.