Latest Odisha News

ଆରମ୍ଭରୁ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ଶୀତ କାଳୀନ ଅଧିବେଶନ। ଅଧିବେଶନର ଆରମ୍ଭରୁ ହିଁ ବିଧାନସଭାରେ ଅଚଳାବସ୍ଥା l ଶୂନ୍ୟକାଳରେ ଗୃହରେ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିଧାନସଭା ପରିସରରେ ଥିବା ସମ୍ବିଧାନ ମୁଖବନ୍ଧରୁ ଧର୍ମ ନିରପେକ୍ଷ ଓ ସମାଜବାଦୀ ଶବ୍ଦ ନ ରହିବାରୁ ହଟ୍ଟଗୋଳ ପ୍ରଦର୍ଶନ କରିଥିଲେ ବିରୋଧୀ। ଗୃହରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ପ୍ରସଙ୍ଗ ଉଠାଇଥିଲେ। ଏହାକୁ ସମର୍ଥନ ମଧ୍ୟ ଜଣାଇଥିଲା କଂଗ୍ରସ। ପରେ ଉକ୍ତ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

ତେବେ ଅଧିବେଶନ ଆରମ୍ଭରୁ ଦିବଙ୍ଗତ ସଦସ୍ୟ ମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ସଦସ୍ୟ ଧନେଶ୍ୱର ମାଝୀ, ମକରଧ୍ୱଜ ପ୍ରଧାନ, ନିରଞ୍ଜନ ପ୍ରଧାନ, ଉତ୍କଳ କେଶରୀ ପରିଡା, ପୂର୍ଣ୍ଣ ଚନ୍ଦ୍ର ମାଝୀଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ ମୁଖ୍ୟମନ୍ତ୍ରୀ ।

ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ସିପିଆଇଏମ ନେତା ଲକ୍ଷ୍ମଣ ମୁଣ୍ଡା ଦିବଙ୍ଗତ ସଦସ୍ୟ ମାନଙ୍କ ଅମର ଆତ୍ମାର ସଦ୍ଗତି କାମନା ନିମନ୍ତେ ପ୍ରାର୍ଥନା କରିବା ସହ ପ୍ରତ୍ୟକ ଦିବଙ୍ଗତ ସଦସ୍ୟ ମାନଙ୍କ ବିଷୟରେ ସ୍ମୃତିଚାରଣ କରିଥିଲେ । ଶେଷରେ ବାଚସ୍ପତି ସୁରମା ପାଢ଼ୀ ଶୋକ ପ୍ରସ୍ତାବ ସହ ସ୍ୱର ମିଳାଇ 1 ମିନିଟ ନିରବ ପ୍ରାର୍ଥନା କରିଥିଲେ ସମସ୍ତ ସଦସ୍ୟ ବୃନ୍ଦ l

Leave A Reply

Your email address will not be published.