Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ; ବିଦେଶ ଗସ୍ତରେ ଯିବେ ବାଚସ୍ପତି

ଭୁବନେଶ୍ୱର: ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ଅକ୍ଟୋବର ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯିବେ ବାଚସ୍ପତି ସୁରମା ପାଢ଼ୀ।

ଏ ସଂପର୍କରେ ସୂଚନା ଦେଇ ବାଚସ୍ପତି କହିଛନ୍ତି ଯେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘରେ ୫୬ଟି ଦେଶ ସଭ୍ୟ ଭାବେ ରହିଥିବାବେଳେ ଭାରତ ଏହା ମଧ୍ୟରୁ ଅନ୍ୟତମ। ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ, ପାର୍ଲାମେଣ୍ଟ ସଦସ୍ୟ, ୨୨ଟି ରାଜ୍ୟର ବାଚସ୍ପତି, ଉପବାଚସ୍ପତି ଓ ସଚିବ ଏହି ସମ୍ମିଳନୀରେ ଯୋଗଦେଉଛନ୍ତି ।

ସୂଚନା ଅନୁଯାୟୀ ସେ ଅକ୍ଟୋବର ୫ ତାରିଖ ଦିନ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ଲଣ୍ଡନ ଦେଇ ଅକ୍ଟୋବର ୬ ତାରିଖ ଦିନ ବାର୍ବାଡୋସ୍‌ରେ ପହଞ୍ଚିବେ।

ଅକ୍ଟୋବର ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବାର୍ବାଡୋସ୍‌ର ରାଜଧାନୀ ବି୍ରଜ୍‌ଟାଉନ୍‌ଠାରେ ଅବସ୍ଥାନ କରିବା ସହ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ନିଜର ବକ୍ତବ୍ୟ ରଖିବେ। ପ୍ରଥମେ ଅକ୍ଟୋବର ୭ ତାରିଖ ଦିନ ବାଚସ୍ପତି ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀର ପୂର୍ଣ୍ଣ ଅଧିବେଶନରେ ଯୋଗଦେଇ ‘ରାଜ୍ୟଗୋଷ୍ଠୀ ମଧ୍ୟରେ ଲିଙ୍ଗଗତ ସମ୍ବେଦନଶୀଳତା ଓ ସଂସଦଗୁଡ଼ିକୁ ସାକାର କରିବା ପାଇଁ ଭଲ ଅଭ୍ୟାସ ଓ ରଣନୀତି’ ଉପରେ ସେ ନିଜର ବକ୍ତବ୍ୟ ରଖିବେ।

ଅକ୍ଟୋବର ୮ ତାରିଖ ଦିନ ‘ରାଜ୍ୟଗୋଷ୍ଠୀ: ଏକ ବୈଶ୍ୱିକ ସହଭାଗୀ’ ଓ ‘ବେଜିଂ ଣ୍ଟ୩୦ ପରଠାରୁ ସଂସଦ: ଲିଙ୍ଗଗତ ସମାନତା ପାଇଁ ପ୍ରଗତି, ଆହ୍ୱାନ ଓ ମାର୍ଗ’ ଶୀର୍ଷକ ଆଲୋଚନାଚକ୍ରରେ ଓ ‘ଗଣତନ୍ତ୍ରର ସମର୍ଥନ ପାଇଁ ଆମ ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ’ ଉପରେ ବାଚସ୍ପତି ନିଜର ଆଭିମୁଖ୍ୟ ରଖିବେ । ଏଥି ସହିତ ‘ରାଜନୀତିରେ ଭିନ୍ନକ୍ଷମ ମହିଳାଙ୍କ ଅଂଶଗ୍ରହଣ ପାଇଁ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା’ ଆଲୋଚନାରେ ମଧ୍ୟ ବାଚସ୍ପତି ନିଜର ମତ ଉପସ୍ଥାପନ କରିବେ ।

ଅକ୍ଟୋବର ୯ ତାରିଖ ଦିନ ‘ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ଓ ଏହାର ଦୀର୍ଘସ୍ଥାୟୀ ସମାଧାନର ପନ୍ଥା ନିର୍ଦ୍ଧାରଣ’ ଓ ‘ଜାତୀୟ ସଂସଦ ବନାମ ପ୍ରାଦେଶିକ, ଆଞ୍ଚଳିକ ଓ ବିକଶିତ ବିଧାନସଭା: କ୍ଷମତା ପୃଥକୀକରଣକୁ ସୁରକ୍ଷା ଓ ସଂରକ୍ଷଣ’ ଆଲୋଚନାରେ ମାନ୍ୟବର ବାଚସ୍ପତି ଅଭିଭାଷଣ ଉପସ୍ଥାପନ

କରିବେ। ଅକ୍ଟୋବର ୧୧ ତାରିଖ ଦିନ ସମ୍ମିଳନୀ ପରବର୍ତ୍ତୀ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ବାଚସ୍ପତି ଅଧ୍ୟୟନ ଗସ୍ତରେ (ଷ୍ଟଡିଟୁର୍‌) ବି୍ରଜଟାଉନ୍‌ରୁ ଲଣ୍ଡନ ଅଭିମୁଖେ ଗସ୍ତ କରି ସେଠାରେ ଅକ୍ଟୋବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଏହି ଅବଧି ମଧ୍ୟରେ ସେ ଲଣ୍ଡନରେ ପ୍ରବାସୀ ଓଡ଼ିଆମାନଙ୍କ ସହିତ ସମ୍ମିଳନୀର ବାର୍ତ୍ତା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ରଣପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବାରୁ ସେ ତାଙ୍କର ଲଣ୍ଡନ ଗସ୍ତ ସମୟରେ ଶହୀଦ ରଘୁ-ଦିବାକର ବେଜେଲ୍‌ଗେଟ୍‌ଙ୍କୁ ଯେଉଁ ଠେଙ୍ଗାରେ ପ୍ରହାର କରି ମାରି ଦେଇଥିଲେ, ବ୍ରିଟିଶ ମ୍ୟୁଜିୟମ୍‌ରେ ଥିବା ସେହି ଠେଙ୍ଗାକୁ ନିଶ୍ଚୟ ଦେଖିବେ ବୋଲି ସେ ପ୍ରକାଶ କରିଛନ୍ତି।

ଅକ୍ଟୋବର ୧୪ ତାରିଖରେ ସୁଇଜରଲ୍ୟାଣ୍ଡର ଜୁରିକ୍‌ରେ ପହଞ୍ଚି ବାଚସ୍ପତି ସେଠାରେ ୧୬ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ଅବଧିରେ ସେ ଭାରତୀୟ ହାଇକମିଶନର ଓ ପ୍ରବାସୀ ଓଡ଼ିଆମାନଙ୍କ ସହିତ ସମ୍ମିଳନୀରେ ଆଲୋଚିତ ବିଷୟବସ୍ତୁ ଉପରେ ମତବିନିମୟ କରିବେ । ଅକ୍ଟୋବର ୧୬ରୁ ୧୮ ତାରିଖ ମଧ୍ୟରେ ପ୍ୟାରିସ୍‌ରେ ଅବସ୍ଥାପନ କରି ବାଚସ୍ପତି ପ୍ରବାସୀ ଓଡ଼ିଆମାନଙ୍କ ସହିତ ଭାବବିନିମୟ କରିବେ । ୧୮ ତାରିଖ ଦିନ ପ୍ୟାରିସ୍‌ରୁ ବାହାରି ନୂଆଦିଲ୍ଲୀ ଦେଇ ଅକ୍ଟୋବର ୧୯ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଓ ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତ୍ରିବିକ୍ରମ ପ୍ରଧାନ ଉପସ୍ଥିତ ଥିଲେ।

 

Comments are closed.