ଭୁବନେଶ୍ୱର: ଭୁବନେଶ୍ୱର ସାଂସଦଙ୍କ ଉପରେ ବିଜେଡିର ପ୍ରାୟୋଜିତ ଆକ୍ରମଣକୁ ନେଇ ଜୋର ଧରିଛି ରାଜନୀତି। ଗତକାଲି ଭୁବନେଶ୍ୱର ସାଂସଦଙ୍କ ଉପରେ ଶାସକ ବିଜେଡିର ପ୍ରାୟୋଜିତ ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି କହିଛି ବିଜେପି। ଏହି ଆକ୍ରମଣ ସମ୍ପୂର୍ଣ୍ଣ ଭାବରେ ବିଜୁ ଜନତା ଦଳ ଏବଂ ରାଜ୍ୟ ସରକାର ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ପ୍ରାୟୋଜିତ। ଓଡିଶାରେ ମା’ଙ୍କୁ ସମ୍ମାନ ଏବଂ ମହିଳା ସଶକ୍ତିକରଣର ନାରା ଦେଉଥିବା ବିଜୁ ଜନତା ଦଳ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କର ମୁଖା ସମ୍ପୂର୍ଣ୍ଣ ଭାବେ ଖୋଲିଯାଇଛି। ଏହାକୁ ଭାରତୀୟ ଜନତାପାର୍ଟି ଘୋର ନିନ୍ଦା କରୁଛି ବୋଲି ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ଡ.ଲେଖାଶ୍ରୀ କହିଛନ୍ତି, ଗଣତନ୍ତ୍ରରେ ପ୍ରତିବାଦର ବି ଗୋଟିଏ ପରିଧି ରହିଛି। ସାମ୍ବିଧାନିକ ବିଦ୍ଧି ବ୍ୟବସ୍ଥାରେ ପ୍ରତିବାଦ କରିବାର ଅଧିକାର ଅଛି। କିନ୍ତୁ ପ୍ରାୟୋଜିତ ଭାବରେ ଲୋକ ଲଗାଇ ବିଶେଷ ଭାବରେ ମହିଳାମାନଙ୍କୁ ଲଗାଇ ଟେକା ପଥର ଫିଙ୍ଗିବା, ଅଣ୍ଡା ମାଡ କରିବା, ଅସମ୍ମାନ କରିବା, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଏହା କେବେ ବି ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଓଡିଶାସାରା ଜନପ୍ରତିନିଧିମାନଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଉଛି। ଜନପ୍ରତିନିଧି ଏବଂ ଜନତାଙ୍କ ମତକୁ ନ୍ୟୁନ ଦେଖେଇବା ପାଇଁ ପ୍ରଚେଷ୍ଟା ଚାଲିଛି।
ଗୋଟିଏ ପଟେ ମା’ଙ୍କୁ ସମ୍ମାନ ଓ ମହିଳା ସଶକ୍ତିକରଣର ନାରା ଦେଉଥିବା ବେଳେ ଆଉ ଗୋଟିଏ ପଟେ ମହିଳା ଏବଂ ଗୁଣ୍ଡାମାନଙ୍କୁ ଲଗାଇ ଜନ ପ୍ରତିନିଧିମାନଙ୍କୁ ଆକ୍ରମଣ କରୁଛନ୍ତି। ଏହା ବିଜେଡି ଓ ରାଜ୍ୟ ସରକାରଙ୍କର ଦୋ ମୁହାଁ ନୀତିକୁ ପଦାରେ ପକାଇଛି। ମୁଖ୍ୟମନ୍ତ୍ରୀ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ଅହିଂସାର କଥା କୁହନ୍ତି ସେହି ଶାସକ ଦଳ ତାଙ୍କ ମୁଖିଆଙ୍କ ପ୍ରରୋଚନାରେ ଅନ୍ୟ ଦଳ ସହ ନିଜ ଦଳର ପ୍ରତିନିଧି ମାନଙ୍କ ପ୍ରତି ମଧ୍ୟ ହିଂସାତ୍ମକ ଆଚରଣ କରିବାକୁ ପଛାଉନାହାଁନ୍ତି। ଏହା ହେଉଛି ବିଜେଡିର ଭୟ ଓ ଅସୁରକ୍ଷିତ ମନୋଭାବର ପ୍ରତିଫଳନ ବୋଲି ଡ.ଲେଖାଶ୍ରୀ କହିଛନ୍ତି।
ବିଜୁ ଜନତା ଦଳ ୨୩ବର୍ଷ ଶାସନ କଲା ପରେ ବି ଓଡିଶାରେ ତାଙ୍କର ଟ୍ରାକ୍ ରେକର୍ଡ ଅତ୍ୟନ୍ତ ଖରାପ ସ୍ଥିତିରେ ପହଁଚିଛି। ଓଡିଶାବାସୀ ଶାସକ ବିଜେଡି ବିରୁଦ୍ଧରେ ବିକ୍ଷୋଭ କରୁଛନ୍ତି । ୨୩ବର୍ଷର ବିଫଳତାର ବୋଝ ଉପରେ ବସି ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ବର୍ତମାନ ରକ୍ତ ଚାଉଳ ଚୋବାଉଛନ୍ତି। ଭୟଭୀତ ଓ ଅସୁରକ୍ଷିତ ବିଜୁ ଜନତା ଦଳ ବର୍ତମାନ ଔଷଧ ବିକଳରେ ତାଟିଆ କାମୁଡୁଛି ଏବଂ ଜନପ୍ରତିନିଧିଙ୍କ ଉପରେ ସୁଝାଉଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି।
Comments are closed.