ଭୁବନେଶ୍ୱର: ଅଘୋଷିତ ବିଜୁଳି କାଟକୁ ବିରୋଧ କରି ଗୁରୁବାର ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି। ବାଲେଶ୍ୱରର ବାଲିଆଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହାତରେ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।
ରାଜ୍ୟରେ ବିଜୁଳି କାଟକୁ ନେଇ ସାଧାରଣ ଜନତା ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ନିକଟରେ ବାରିପଦା ଗସ୍ତରେ ଆସି ରାଷ୍ଟ୍ରପତିଙ୍କୁ ବିଜୁଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ଗ୍ରହଣୀୟ ନୁହେଁ ବୋଲି ବିଜେପି ବାଲେଶ୍ୱର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର କହିଛନ୍ତି।
ବିଦ୍ୟୁତ୍ କାଟ ପାଇଁ ଦାୟୀ ଟାଟା ପାଓ୍ୱାରକୁ ରାଜ୍ୟ ସରକାର ଢାଲ କରୁଛନ୍ତି। ଯେପର୍ଯ୍ୟନ୍ତ ସରକାର ଟାଟା ପାଓ୍ୱାରର ଲାଇସେନ୍ସକୁ ରଦ୍ଦ ନ କରିଛନ୍ତି ସେପର୍ଯ୍ୟନ୍ତ ଆମେ ଅଟକିବୁ ନାହିଁ ବୋଲି ସେ କହିଛନ୍ତି।
କୋରାପୁଟ ଓ ବରଗଡ଼ ଜିଲ୍ଲାରେ ମଧ୍ୟ ଅନୁରୂପ ଆନ୍ଦୋଳନ ଦେଖିବାକୁ ମିଳିଛି। କୋରାପୁଟର ଜୟପୁର, କୋଟପାଡ, ସୁନାବେଡା ଓ ସେମିଳିଗୁଡାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
କୋରାପୁଟରେ ବିଜୁଳି ଉତ୍ପାଦନ ହେଉଥିବା ସତ୍ତ୍ୱେ ବାରମ୍ବାର ବିଜୁଳି କାଟ ହେଉଛି। ଏହା ରାଜ୍ୟ ସରକାରଙ୍କ ଅବ୍ୟବସ୍ଥାର ଏକ ସ୍ପଷ୍ଟ ଚିତ୍ର ବୋଲି ଜଣେ ବିଜେପି କର୍ମୀ କହିଛନ୍ତି।
ବରଗଡ଼ରେ ବିଜେପି ପକ୍ଷରୁ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଦାବି କରିବା ସହ ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ସେହିପରି କଟକ, ସମ୍ବଲପୁର, ଅନୁଗୁଳ, ବ୍ରହ୍ମପୁର, ରାଉରକେଲା, ସୁନ୍ଦରଗଡ, ପୁରୀ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର, କେନ୍ଦୁଝର, ଦେବଗଡ, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ମାଲକାନଗିରି, ଗଜପତି, ନୟାଗଡ, ଭଦ୍ରକ, କନ୍ଧମାଳ, ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡା, ବଲାଙ୍ଗିର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି।
ଏହି ଆନ୍ଦୋଳନକୁ ନେଇ ରାଜ୍ୟ ସରକାର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଟାଟା ପାଓ୍ୱାର ମଧ୍ୟ ଏ ନେଇ କୌଣସି ସୂଚନା ଦେଇନାହିଁ। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବିଜୁଳି କାଟ୍ ଯୋଗୁଁ ଲୋକେ ଗରମ ସହ ମୁକାବିଲା କରିବା କଷ୍ଟକର ହୋଇପଡିଛି।
Comments are closed.