ଭୁବନେଶ୍ୱର: ଦିଲ୍ଲୀରେ ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶା ବିଜେପିକୁ ନିଜର ଏଜେଣ୍ଡା ବାବଦରେ ଏକ ପ୍ରକାର ବାର୍ତ୍ତା ମିିଳିଥିବା କୁହାଯାଉଛି। କେଉଁ ଆଧାରରେ ନିର୍ବାଚନ ଲଢାଯିବ କେଉଁ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ହେବ ଏବଂ କେଉଁ ପ୍ରସଙ୍ଗ ନେଇ ଭୋଟରଙ୍କ ପାଖକୁ ଯିବ ସେନେଇ ଏକ ପ୍ରାଥମିକ ରୋଡମ୍ୟାପ ବିଜେପି ପାଇଛି।
ଦିଲ୍ଲୀରେ ବସିଥିବା ଦୁଇ ଦିନିଆ ବୈଠକରେ ପ୍ରଧାନମନ୍ତ୍ରୀ ଦଳର ନେତା ଓ କର୍ମୀଙ୍କୁ ୪୦୦ ଦିନର ହୋମଓ୍ୱାର୍କ ଦେଇଛନ୍ତି। ଯେଉଁଥିରେ ୧୮ ରୁ ୨୫ ବର୍ଷର ଯୁବକମାନଙ୍କ ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ଥର ଭୋଟର ଏବଂ ସେମାନଙ୍କୁ ସୁଶାସନ ଏବଂ କୁଶାସନ ମଧ୍ୟରେ ପାର୍ଥକ୍ୟ ବୁଝାଇବାକୁ ପ୍ରଧାନମନ୍ତ୍ରୀ ଦାୟିତ୍ବ ଦେଇଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ନୂଆ ଭୋଟରଙ୍କୁ ସଂଯୋଗ କରିବା ପାଇଁ ଦଳର ନେତାଙ୍କ ଉପରେ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି।
ବିଜେପିର ଶୀର୍ଷନେତାଙ୍କ କହିବା କଥା ହେଲା ଯେ ଗୁଜୁରାଟ ନିର୍ବାଚନରେ ବିରାଟ ବିଜୟ ପଛରେ ସବୁଠାରୁ ବଡ କାରଣ ହେଉଛି ଅଣ ପାରମ୍ପାରିକ ଭୋଟ୍। ତେଣୁ ସମଗ୍ର ଦେଶରେ ସମାନ ସୂତ୍ର କାର୍ଯ୍ୟକାରୀ କରାଯିବା ଉଚିତ। ଏହି ପରିପ୍ରେକ୍ଷୀରେ, ଦଳର ନେତାମାନଙ୍କୁ ଚର୍ଚ୍ଚ, ସ୍କୁଲ, କଲେଜ, ବିଭିନ୍ନ ସମ୍ପ୍ରଦାୟଙ୍କ ସହ ବୈଠକ କରି ସୁବିଧା ଅସୁବିଧା ବାବଦରେ ଆଲୋଚନା କରିବା ଉଚିତ।
ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି, ଓଡି଼ଶା ବିଜେପି ଗୁଜରାଟ ଫର୍ମୁଲା ଆପଣାଇବା ଆରମ୍ଭ କରିଦେଇଛି। ଏହି ଫର୍ମୁଲା ଦଳକୁ ଲାଭବାନ ଦେବ ବୋଲି ସେ ବିଶ୍ବାସ ରଖିଥିବା କହିଛନ୍ତି।
ସେହିପରି ସୁଶାସନ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସ ଶାସନ କାଳରେ କୌଣସି ଖରାପ ଶାସନ ହୋଇନଥିଲା। ବାସ୍ତବରେ, ବିଜେପି ଆମ ସମସ୍ତଙ୍କ ଉପରେ ଖରାପ ଶାସନ ଆଣିଛି। ଆଗାମୀ ନିର୍ବାଚନରେ ଭାରତରେ ବିଜେପିକୁ ସଫା କରିଦିଆଯିବ।
ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବାକୁ ବିଜେପି ଚେଷ୍ଟା କରୁଛି। ରାଜ୍ୟରେ କିଭଳି ପରିବର୍ତ୍ତନ ହୋଇଛି ତାହା ଉପରେ ସାଧାରଣ ଜନତାଙ୍କ ନଜର ରହିଛି। ଏହା ଯୁବକମାନଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଛି ଏବଂ ସେମାନେ ଆଉ ବିଜେପିକୁ ଯେଉଁ ଟିକିଏ ସୁଯୋଗ ଦେଇଥିଲେ ତାହା ଆଉ ଦେବେ ନାହିଁ ବୋଲି ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ୧୬୦ ଦୁର୍ବଳ ଆସନ ଚିହ୍ନଟ କରିଛି। ଏଥିମଧ୍ୟରେ ଓଡ଼ିଶାର କିଛି ଲୋକସଭା ଆସନ ରହିଛି। ଏହି ସବୁ ସ୍ଥାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା ନିକଟ ଭବିଷ୍ୟତରେ ଆସିବେ ବୋଲି ସୂଚନା ରହିଛି। ବିଜେପିର ଲୋକସଭା ‘ପ୍ରବାସ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ଗସ୍ତରେ ଆସି ବିଜେପିର ତିନି ଶୀର୍ଷ ନେତା ଭୋଟ୍ ବ୍ଯାଙ୍କ ବଢାଇବେ ବୋଲି ସୂଚନା ରହିଛି।
Comments are closed.