Latest Odisha News

BREAKING NEWS

ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା, ୧୨ ଦିନରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ

କଟକ: ଆଜିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ସହ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ମୋଟ୍ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ୧୨ ଦିନରେ ଖାତା ଦେଖା ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି।

ଯେଉଁମାନେ ପରୀକ୍ଷା ଖାତା ଦେଖିବେ ସେମାନଙ୍କୁ ଆଲର୍ଟ କରାଯାଇଛି। ଯେଉଁ ପରୀକ୍ଷା କେନ୍ଦ୍ରରେ ମୂଲ୍ୟାୟନ ପାଇଁ ନିର୍ଦ୍ଦେଶ ରହିଛି ସେମାନେ କ୍ୟାମ୍ପ ସୁପରଭାଇଜରଙ୍କ ନିକଟକୁ ଯାଇ  ନିଜର ପରିଚୟ ପତ୍ର ଆଣିପାରିବେ। ଯେଉଁ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରେ ବିନା କାରଣରେ ଯୋଗ ନଦେବେ ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କଟକ ଜିଲ୍ଲାରେ ସର୍ବାଧିକ ୬ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ଖାତା ଦେଖା ହେବ। ଖରା ବଢିଲେ ସକାଳ ୯ଟା ପୂର୍ବରୁ ଖାତା ଦେଖା ଆରମ୍ଭ କରିପାରିବେ ପରୀକ୍ଷା କେନ୍ଦ୍ରର କ୍ୟାମ୍ପ ସୁପରଭାଇଜର। ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ ଶିକ୍ଷକ, ଶିକ୍ଷୟତ୍ରୀ ଗୋଟିଏ ଦିନରେ ସର୍ବାଧିକ ୩୦ରୁ ୩୫ଟି ଖାତା ଦେଖିପାରିବେ। ବାକି ୪ଟି ବିଷୟରେ ମୂଲ୍ୟାୟନକାରୀ ସର୍ବାଧିକ ୫୦ରୁ ୫୫ ଉତ୍ତର ଖାତା ଦେଖିପାରିବେ।

ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ ବାରଣ ରହିଛି। ସେହିପରି ମୂଲ୍ୟାୟନ କେନ୍ଦ୍ରରେ ବୋର୍ଡ ପକ୍ଷରୁ କ୍ୟାଣ୍ଟିନ ବ୍ୟବସ୍ଥା କରାଯାଇଛି। ଖାତା ଦେଖା ପ୍ରକ୍ରିୟାରେ ବୋର୍ଡ ପକ୍ଷରୁ ୧୩ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେଥିମଧ୍ୟରୁ ପ୍ରାୟ ୧୨ ହଜାର ୪ଶହ ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଛନ୍ତି। ସେହିପରି ମୂଲ୍ୟାୟନ ପ୍ରକ୍ରିୟାକୁ ଯାଞ୍ଚ କରିବା ପାଇଁ ୬ ଶହ ଜଣ ବୋର୍ଡ ଦ୍ବାରା ନିୟୋଜିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ରେଗୁଲାର, ଏକ୍ସ ରେଗୁଲାର ସହ ଏସଓଏସସି ଓ ମଧ୍ୟମା ପରୀକ୍ଷାକୁ ମିଶାଇଲେ ରାଜ୍ୟରେ ୫ ଲକ୍ଷରୁ ଅଧିକ ପରୀକ୍ଷା ଦେଇଥିଲେ। ୩ ହଜାର ୨୧୮ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା।

Comments are closed.