ଭୁବନେଶ୍ୱର: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଦିନ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ସ୍ୱାସ୍ଥ୍ୟ ଲାଗି ୭ ହଜାର ୭୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ବଜେଟ୍ ପରିମାଣକୁ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ କରାଯାଇ ୭ ହଜାର ୭ ଶହ କୋଟି ଟଙ୍କାରେ ପହଞ୍ଚିପାରିଛି ।
ଏହି ବଜେଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗି ୧ ହଜାର ୧ ଶହ ୮କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିପରି ଭାବେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନରେ ୫୭୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ଏତଦବ୍ୟତୀତ ଉତ୍କଟ ଦାରିଦ୍ର୍ୟରେ ରହୁଥିବା ୭୦ ଲକ୍ଷ ପରିବାରକୁ ପରିବାର ପିଛା ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି । ଏହି ଯୋଜନା ଲାଗି ୧ ଲକ୍ଷ ହଜାର ୧ ଶହ ୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ରାଜ୍ୟରେ ୧୧ଟି ମେଡ଼ିକାଲ ପ୍ରତିଷ୍ଠା ଲାଗି ଯୋଜନା ରହିଛି । ସେଥିମଧ୍ୟରୁ ବଲାଙ୍ଗୀର, କୋରାପୁଟ, ବାଲେଶ୍ୱର ଓ ବାରିପଦାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ହୋଇଛି । ସେହିପରି ଭାବେ ପୁରୀ, ଯାଜପୁର, ଭବାନୀପାଟଣା, କେନ୍ଦୁଝର, କନ୍ଧମାଳ ରେ ଏବଂ ଏନଟିପିସି ସହାୟତାରେ ସୁନ୍ଦରଗଡ଼ ଏବଂ ଏମସିଏଲ୍ ସହାୟତାରେ ତାଳଚେରଠାରେ ଏହିପରି ୭ଟି ମେଡ଼ିକାଲ୍ କଲେଜ ସ୍ଥାପନ କରାଯିବ ବୋଲି ଯୋଜନା ହାତକୁ ନିଆଯାଇଛି । ଏଥିଲାଗି ସମୁଦାୟ ୫ଶହ ୬୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
ଅନ୍ୟ ଜିଲ୍ଲା ମାନଙ୍କରେ ହୃଦରୋଗ ସେବାର ସମ୍ପ୍ରସାରଣ ପାଇଁ ଓଡ଼ିଶା କାର୍ଡ଼ିଆକ କେୟାର୍ ପ୍ରୋଗ୍ରାମ ନାମରେ ଏକ ନୂତନ ଯୋଜନା ପ୍ରଣୟନ କରିବାକୁ ପ୍ରସ୍ତାବ ରହିଛି । ଏତଦବ୍ୟତୀତ ଝାରସୁଗୁଡ଼ାଠାରେ ସରକାରୀ-ବେସରକାରୀ ସହଭାଗିତାରେ ଏକ ହୃଦରୋଗ ଚିକିତ୍ସା କେନ୍ଦ୍ର ସ୍ଥାପିତ ହେବ । ଏଥିପାଇଁ ଏମସିଏଲ, ୭୫ କୋଟି ଟଙ୍କା ଯୋଗାଇ ଦେବ ।
କର୍ମଚାରୀ ରାଜ୍ୟ ଯୋଜନା ବୀମା ଯୋଜନା (ଇଏସଆଇ) ପାଇଁ ପ୍ରାୟ ୪୭ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଭୁବନେଶ୍ୱର ଓ ଅନୁଗୁଳସ୍ଥିତ ଇଏସଆଇ ହସ୍ପିଟାଲ୍ ନିମନ୍ତେ ୨୨୦ ଡାକ୍ତର ଓ ପାରା ମେଡ଼ିକସ୍ ପଦବୀ ସୃଷ୍ଟି କରାଯାଇଛି ।
Comments are closed.