Latest Odisha News

BREAKING NEWS

ଆଇଏଫଏସ୍ ଭି. କାର୍ତ୍ତିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ନୂଆଦିଲ୍ଲୀ: ଟ୍ରେନି ଅଧିକାରୀଙ୍କୁ ଦେଉଥିଲେ ଅଶ୍ଳିଳ ମେସେଜ୍ ! ରାତିରେ ଘରକୁ ଡାକୁଥିଲେ ! ଓଡିଶା କ୍ୟାଡର ଆଇଏଫଏସ ଭି. କାର୍ତ୍ତିକଙ୍କ ବିରୋଧରେ ସଂଗୀନ ଅଭିଯୋଗ। ଆଭ୍ୟନ୍ତରୀଣ କମିଟିର ତଦନ୍ତ ଆଧାରରେ ମହିଳା ଟ୍ରେନିଙ୍କୁ ଯୌନ ଉତ୍ପୀଡନ ଅଭିଯୋଗରେ ଭି. କାର୍ତ୍ତିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ସୁପାରିସ କରାଯାଇଛି। ନିଜ ପଦ ଓ କ୍ଷମତାର ଦୁର୍ବ୍ୟବହାର କରି ମହିଳା ଟ୍ରେନିଙ୍କୁ ଭି କାର୍ତ୍ତିକ ଯୌନ ଉତ୍ପୀଡନ କରୁଥିବା ଅଭିଯୋଗ ହୋଇଛି । ସେ ଏବେ କୋଏମ୍ବାଟୁର CASFOSରେ ଅଧ୍ୟାପକ ଦାୟିତ୍ବରେ ରହିଛନ୍ତି । ତେବେ ତାଙ୍କୁ ଜୁନ୍ ୩୦ପୂର୍ବରୁ ଗୃହ କ୍ୟାଡର ଓଡିଶା ଫେରାଇ ନେବାକୁ ସୁପାରିସ କରାଯାଇଛି ।

ହ୍ବାଟସ ଆପରେ ପଠାଉଥିଲେ ଅଶ୍ଲୀଳ ମେସେଜ୍

ଓଡିଶା କ୍ୟାଡରର ଭାରତୀୟ ବନସେବା ଅଧିକାରୀ ଭି କାର୍ତ୍ତିକ ପ୍ରଶିକ୍ଷଣ କେନ୍ଦ୍ରରେ ମହିଳା ଟ୍ରେନି ଅଧିକାରୀ ଓ ମହିଳା କର୍ମଚାରୀଙ୍କୁ ହ୍ବାଟସ ଆପରେ ଅଶ୍ଳିଳ ମେସେଜ୍ ପଠାଉଥିଲେ । ସେମାନଙ୍କ ସହ ନିବିଡ ସଂପର୍କ ରଖୁଥିଲେ । ମହିଳା ଟ୍ରେନି ଅଧିକାରୀ ଭି କାର୍ତ୍ତିକଙ୍କ ଘରକୁ ରାତିରେ ଯାଇ ସକାଳୁ ଫେରୁଥିଲେ । ମହାରାଷ୍ଟ୍ରର ଜଣେ ମହିଳା ଫରେଷ୍ଟ ରେଞ୍ଜ ଅଫିସର କୋଏମ୍ବାଟୁର CASFOSରେ ୫ଦିନିଆ ବାଧ୍ୟତାମୂଳକ ପ୍ରଶିକ୍ଷଣ ନେବାକୁ ଯାଇଥିବା ବେଳେ ଭି କାର୍ତ୍ତିକଙ୍କ ଯୌନ ଉତ୍ପୀଡନର ଶୀକାର ହୋଇଥିବା ଅଭିଯୋଗ ହୋଇଛି । ତାଙ୍କୁ ହ୍ବାଟସ ଆପରେ ଅଶ୍ଲିଳ ମେସେଜ ପଠାଇବା ସହ ନିବିଡ ସଂରର୍କ ରକ୍ଷା କରିବାକୁ ଭି କାର୍ତ୍ତିକ ଉଦ୍ୟମ କରିଥିବା ତଦନ୍ତକାରୀ କମିଟି ଜାଣିବାକୁ ପାଇଛି । ଏପରିକି ନିଜ ଅଧୀନରେ କାମ କରୁଥିବା କର୍ମଚାରୀ ଓ ସହଯୋଗୀଙ୍କୁ ବି ଭି କାର୍ତ୍ତିକ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ସେ ଯୌନ ଉତ୍ପୀଡନ କରୁଥିବା ତଦନ୍ତକାରୀ କମିଟି ଉଲ୍ଲେଖ କରିଛି ।

କଣ କହିଲା ତଦନ୍ତକାରୀ କମିଟି?

ଆଇଏଫଏସ୍ ଭି କାର୍ତ୍ତିକଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା। କାର୍ଯ୍ୟାଳୟରେ ମହିଳା ଟ୍ରେନି ଅଧିକାରୀ, କୋଏମ୍ବାଟୁର CASFOSର ଉଭୟ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ସମେତ ମୋଟ୍ ୧୦ଜଣଙ୍କୁ ପଚରାଉଚରା କରାଯାଇଥିଲା । ତଦନ୍ତର ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିବା ବେଳେ ଅନେକଙ୍କ ବୟାନ ବି ରେକର୍ଡ କରାଯାଇଥିଲା । ତଦନ୍ତରେ ଯୌନ ଉତ୍ପୀଡନ ଘଟଣାରେ ଭି କାର୍ତ୍ତିକଙ୍କ ସଂପୃକ୍ତି ନେଇ ତଥ୍ୟ ପାଇଥିଲା କମିଟି । ଭି କାର୍ତ୍ତିକଙ୍କ ବ୍ୟବହାର ପ୍ରଶିକ୍ଷଣ କେନ୍ଦ୍ରର ଗରିମାକୁ କ୍ଷୁର୍ଣ୍ଣ କରୁଛି । ତେଣୁ ଭି କାର୍ତ୍ତିକ କୋଏମ୍ବାଟୁର CASFOSରେ ଅଧ୍ୟାପକ ଭାବେ କାମ କରିବା ଉଚିତ୍ ହେବ ନାହିଁ ବୋଲି କମିଟି ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ତାଙ୍କୁ ଗୃହ କ୍ୟାଡର ରାଜ୍ୟକୁ ଜୁନ୍ ୩୦ ସୁଦ୍ଧା ଫେରାଇ ନେବାକୁ ସୁପାରିସ କରାଯାଇଛି। ଲିଙ୍ଗଗତ ସମ୍ବେଦନଶୀଳତା ନଥିବାରୁ ଭବିଷ୍ୟତରେ ମଧ୍ୟ ଭି କାର୍ତ୍ତିକଙ୍କୁ କୌଣସି ପ୍ରଶିକ୍ଷଣ ପ୍ରତିଷ୍ଠାନ ବା ମହିଳା ଭିତ୍ତିକ ସଂସ୍ଥାରେ ନିଯୁକ୍ତ ନକରିବାକୁ କମିଟି ସୁପାରିସ କରିଛି । ତାଙ୍କର ଆଚରଣ ସହକର୍ମୀ ତଥା ଅଧୀନସ୍ଥ କର୍ମଚାରୀଙ୍କୁ କ୍ଷତି ପହଞ୍ଚାଇପାରେ ବୋଲି କହିଛି କମିଟି ।

ଯୌନ ଉତ୍ପୀଡନ ଅଭିଯୋଗ ଉପରେ ତଦନ୍ତ ଚାଲିଛି । ଖୁବ୍ ଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ ବୋଲି କମିଟି କହିଛି। ତେବେ ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି । ଭି କାର୍ତ୍ତିକ ଓଡିଶା କ୍ୟାଡରର ଆଇଏଫଏସ । ସେପୂର୍ବରୁ ସେ ଅନୁଗୁଳ ଡିଏଫଓ ଥିଲେ ।

Comments are closed.