Latest Odisha News

BREAKING NEWS

ଉପକୂଳକୁ ବାତ୍ୟା ଓ ବଜ୍ରପାତ ଜନିତ ମୃତ୍ୟୁରୁ ରକ୍ଷା ପାଇଁ ଅଧିକ ବୁଦା ଓ ତାଳଗଛ ରୋପଣ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପକୂଳକୁ ବାତ୍ୟା ଓ ବଜ୍ରପାତ ଜନିତ ମୃତ୍ୟୁରୁ ରକ୍ଷା କରିବା ପାଇଁ ଯଥାକ୍ରମେ ଅଧିକ ବୁଦା ଓ ତାଳଗଛ ରୋପଣ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସେହିପରି ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ତୃତୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଦୀପ ଜେନା। ଏହି ବୈଠକରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପାଇଁ ସର୍ଚ୍ଚ ଓ ରେସକ୍ୟୁ ଉପକରଣ, ଆନୁଷଙ୍ଗିକ ସାମଗ୍ରୀ, ଯାନବାହନ କିଣିବା ସମ୍ପର୍କରେ ଆଲୋଚନା ହୋଇଥିଲା।

ବିଶେଷକରି ବଜ୍ରପାତ ପ୍ରବଣ ଜିଲ୍ଲାଗୁଡ଼ିକରେ ଅଧିକରୁ ଅଧିକ ତାଳଗଛ ଲଗାଇବା ପାଇଁ ମୁଖ୍ୟ ଶାସନ ସଚିବ ବନ ବିଭାଗକୁ ପରାମର୍ଶ ଦେଇଛନ୍ତି।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସଡିଏମ୍ଏ) ସାଟାର୍କ ଆପ୍ ଜରିଆରେ ଆର୍ଥ ନେଟଓ୍ୱର୍କ ଓ ପୁଣେସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଟେରୋଲୋଜି (ଆଇଆଇଟିଏମ୍)ର ମିଳିତ ସହଯୋଗରେ ବଜ୍ରପାତ ସତର୍କତା ଓ ପୂର୍ବାନୁମାନ ବ୍ୟବସ୍ଥାକୁ ତିନି ବର୍ଷ ପାଇଁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଏଥିସହିତ ଭାରତ ମହାସାଗର ସୁନାମି ପ୍ରସ୍ତୁତି (ଆଇଓଟିଆର)କୁ କାର୍ଯ୍ୟକାରୀ କରିବା ପାଇଁ ଓଏସଡିଏମଏ ଏକ ପ୍ରସ୍ତାବ ଦେଇଛି। ଯେଉଁଥିରେ ୬ଟି ଉପକୂଳ ଜିଲ୍ଲାର ୨୪ଟି ସୁନାମି ପ୍ରବଣ ଗାଁରେ ଆଇଓସି-ୟୁନେସ୍କୋ ତରଫରୁ ସୁନାମି ପାଇଁ ପ୍ରସ୍ତୁତ ପ୍ରମାଣପତ୍ର ହାସଲ କରିବା ଲାଗି  କାର୍ଯ୍ୟକ୍ରମ ଆୟୋଜନ କରାଯାଉ।

ବାତ୍ୟା ଫୋନି ପାଇଁ ଓଡ଼ିଶା ସରକାର ଦେଲେ କୋଟିଏ ଟଙ୍କା। ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପାଇଁ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଉପକରଣ, ଆନୁଷଙ୍ଗିକ ଉପକରଣ, ଏବଂ ଯାନ କିଣା ପାଇଁ ୨୪୦,୩୩,୫୧,୧୦୮ ଟଙ୍କା ପ୍ରସ୍ତାବ ରହିଥିବା ବେଳେ ୧୫୯,୦୨,୧୯,୩୫୬ ଟଙ୍କା ପ୍ରଦାନ କରାଯାଇଛି।

ଏପ୍ରିଲ ୧ ସୁଦ୍ଧା ଏସଡିଆରଏମଏଫର ପାଣ୍ଠି ସ୍ଥିତି ୩୭୬୫୭.୭୪ କୋଟି ଟଙ୍କା ଥିଲା ଏବଂ କେନ୍ଦ୍ର ଏବଂ ରାଜ୍ୟ ଅଂଶଧନ ସମେତ ଏସଡିଆରଏମଏଫର ମୋଟ ପାଣ୍ଠି ୨୩୫୮.୦୦ କୋଟି ଟଙ୍କା ଥିଲା। ୨୦୨୩-୨୪ ଏସଡିଏମଏଫ ଏବଂ ଏସଡିଆରଏଫ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ ୫୧୫୮.୧୪ କୋଟି ଟଙ୍କାର ପାଣ୍ଠି ରହିଛି।

Comments are closed.