ସମ୍ବଲପୁର: ସମ୍ବଲପୁର ସ୍ଥିତ କ୍ଷେତ୍ରରାଇପୁର ଅଞ୍ଚଳରେ ଥିବା ନଟରାଜ କ୍ଲବ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏହି ଅବସରରେ ୨୬ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଗଣେଶ ମୂର୍ତ୍ତି ତିଆରି କରାଯାଇଛି। ଯାହା ସମ୍ପୂର୍ଣ୍ଣ ଭାବରେ ସେଓରେ ତିଆରି ହୋଇଛି। ଏଥିପାଇଁ ପ୍ରାୟ ୧୫୦୦ କିଲୋଗ୍ରାମ ସେଓ ବ୍ୟବହାର କରାଯାଇଛି।
ଖାସ୍ କଥା ହେଉଛି କୌଣସି ପ୍ରଫେସନାଲ କାରିଗର ଏହି ମୂର୍ତ୍ତି ତିଆରିରେ ସାମିଲ ନାହାନ୍ତି। ବରଂ କ୍ଲବର ୧୫-୧୬ ଜଣ ସଦସ୍ୟ ଓ ସମସ୍ତ ସ୍ଥାନୀୟ ବ୍ୟବସାୟୀ ମିଶି ଏହି କାମ କରୁଛନ୍ତି। ଯାହାକୁ ସେମାନେ ତିନି ବର୍ଷ ପୂର୍ବେ କଳ୍ପନା କରିଥିଲେ। ଚଳିତ ଥର କ୍ଲବର ୫୦ତମ ବର୍ଷ ହୋଇଥିବାରୁ କ୍ଲବର ସଦସ୍ୟ ମାନେ କିଛି ଅସାଧାରଣ କରିବାକୁ ଚାହୁଁଥିବା ବରିଷ୍ଠ କ୍ଲବ ସଦସ୍ୟ ଗୋପାଳ ପାନସାରୀ କହିଛନ୍ତି।
କଦଳୀ, ଲଡ୍ଡୁ ଏବଂ ନଡ଼ିଆ ଭଳି ଅନନ୍ୟ ସାମଗ୍ରୀ ବ୍ୟବହାର କରି ଏହି କ୍ଲବ ଆଗରୁ ମୂର୍ତ୍ତି ତିଆରି କରିଛି ଓ ସେ ସମସ୍ତ ମୂର୍ତ୍ତି କିଛି ବିଷୟବସ୍ତୁ କିମ୍ବା ସାମାଜିକ ବାର୍ତ୍ତା ମଧ୍ୟ ବହନ କରିଥାଏ। ତେବେ ଏହି ବର୍ଷ ମୂର୍ତ୍ତି ସେଓରେ ତିଆରି ହେଉଥିବାରୁ ଉତ୍ସବ ପରେ ସମସ୍ତ ସେଓକୁ ଅଭାବୀମାନଙ୍କୁ ବଣ୍ଟନ କରିବାକୁ ଯୋଜନା ରଖିଥିବା ଅନ୍ୟ ଜଣେ ସଦସ୍ୟ ଶିବ କୁମାର ରାଠି କହିଛନ୍ତି। ଅପରପକ୍ଷରେ ଏଥିପାଇଁ ହେଉଥିବା ସମସ୍ତ ଖର୍ଚ୍ଚ ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବରେ ନିଜ ନିଜ ମଧ୍ୟରେ ବାଣ୍ଟି ନେଉଥିବା ସୂତ୍ରରୁ ଜଣାପଡ଼ିଛି।
Comments are closed.