ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପ୍ରାଣହାନି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।
ଏଥିସହିତ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ପ୍ରାଣ ହରାଇଥିବା ପ୍ରତ୍ୟେକ ପୋଲିସ କର୍ମଚାରୀଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଉଲ୍ଲେଖଯୋଗ୍ୟ, ବୋଲେରୋ-ଟ୍ରେଲର ମୁହାଁମୁହିଁ ଧକ୍କା ହେବା କାରଣରୁ ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ୨ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ଭୋର ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରେଲର ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବୋଲେରୋ ଗାଡିଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଟିମ୍ ଗାଡି ଭିତରୁ ମୃତଦେହଗୁଡିକୁ ବାହାର କରିଥିଲେ।
ମୃତକମାନେ ହେଲେ ଡ୍ରିଲ ସବ୍ ଇନ୍ସପେକ୍ଟର ନିରଞ୍ଜନ କୁଜୁର, ଏପିଆର କାଶୀରାମ ଭୋଇ, ଏପିଆର ହାବିଲଦାର ଲିଙ୍ଗରାଜ ଧୂରୁଆ, ଏପିଆର ଦେବଦତ୍ତ ସା, ହୋମଗାର୍ଡ ଭକ୍ତବନ୍ଧୁ ମିର୍ଧା ।