Latest Odisha News

BREAKING NEWS

ବାତ୍ୟା ଲାଗି ୫ ହଜାର କୋଟି ସହାୟତା ପ୍ରଦାନ କରିବାକୁ ମୋଦୀଙ୍କୁ ନବୀନଙ୍କ ଅନୁରୋଧ

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦୀଙ୍କୁ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟ ଲାଗି ୫୦୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ନବୀନ ଅନୁରୋଧ କରିଛନ୍ତି ।

“ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସର୍ବପ୍ରଥମେ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଯୋଗୁଁ ଅଭିନନ୍ଦନ ଜ୍ଞାପନ କଲି,” ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । “ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବାକୁ ମୁଁ ପ୍ରଧାନମନ୍ତ୍ରୀଙ୍କ୍ୁ ଅନୁରୋଧ କରିଥିଲି । ଆପଣମାନେ ସମସ୍ତେ ଜାଣିଛନ୍ତି ଯେ, ନିକଟରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଯୋଗୁଁ ଓଡ଼ିଶାରେ ବିପୁଳ ପରିମାଣରେ କ୍ଷୟକ୍ଷତି ହୋଇଥିଲା । ଏହି ବାତ୍ୟାଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ମୁଁ ୫୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି । ଏଥିସହିତ ୫ଲକ୍ଷ ପକ୍କା ଘର ଯୋଗାଇ ଦେବାକୁ ଅନୁରୋଧ କରିଛି ।”

ଏହାବ୍ୟତୀତ, ୨୦୧୨ ମସିହାଠାରୁ କୋଇଲା ରୟାଲଟି ପୁନର୍ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ନବୀନ । ଏହା କାର୍ଯ୍ୟକାରୀ କରାଗଲେ ଓଡ଼ିଶା ସରକାର କୋଇଲା ରୟାଲଟିରୁ ବାର୍ଷିକ ୧୦,୦୦୦ କୋଟି ରାଜସ୍ୱ ଆକାରରେ ପାଇପାରିବେ ।

ତେବେ ଲୋକସଭାର ଉପ-ବାଚସ୍ପତି ପଦବୀ ଲାଗି ବିଜୁ ଜନତା ଦଳର ଆଭିମୁଖ୍ୟ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ କୌଣସି ଆଲୋଚନା କରିନାହାନ୍ତି ବୋଲି ନବୀନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଏପରିକି ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହିତ କୌଣସି ଆଲୋଚନା କରିନାହାନ୍ତି ବୋଲି ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ।

Leave A Reply

Your email address will not be published.