ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ଲାଗି ଆଜି ଓଡ଼ିଶା ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିମାନରେ ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଏହାପରେ ଭୁବନେଶ୍ୱର ବିମାନବନ୍ଦରଠାରେ ପ୍ରଧାନମନ୍ତ୍ରୀ ବାତ୍ୟା କ୍ଷୟକ୍ଷତି ଓ ପୁନର୍ଗଠନ ସମ୍ପର୍କରେ ସମୀକ୍ଷା କରିଥିଲେ ।
ଫନି ଭଳି ଏକ ଭୟଙ୍କର ବାତ୍ୟାର ମୁକାବିଲା କରିବାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶାର ଏହି ବିପର୍ଯ୍ୟୟ ପରିଚାଳନା ସାରା ବିଶ୍ୱ ଲାଗି ଏକ ଉଦାହରଣ ଭାବେ ବର୍ଣ୍ଣନା କରିବା ସହିତ ଓଡ଼ିଶା ସରକାରଙ୍କୁ ମୋଦୀ ଉଚ୍ଚ ପ୍ରଶଂସା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ଏକାଠି ମିଶି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାର କାର୍ଯ୍ୟ କରିଚାଲିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଚଳିତ ବାତ୍ୟାର କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ୧୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ୧୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଘୋଷଣା କରିଥିଲେ ।
ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟାର କ୍ଷୟକ୍ଷତି ସମ୍ପର୍କରେ ଏକ ଉପସ୍ଥାପନା ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ପ୍ରାକୃତିକ ବିପର୍ଯ୍ୟୟର ପ୍ରତିରୋଧ ଲାଗି ୧୭ ହଜାର କୋଟି ଟଙ୍କାର ଦୀର୍ଘମିଆଦି ସହାୟତା ଦାବି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଏହି ଦାବି ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ବାତ୍ୟା ବିପନ୍ନ ଲୋକଙ୍କର ଜୀବନ ରକ୍ଷା କରି ଆମେ ଏକ ବିଶ୍ୱସ୍ତରୀୟ ମାନକ ସୃଷ୍ଟି କରିଛୁ । ବର୍ତ୍ତମାନ ଆମେ ଏକ ବିପର୍ଯ୍ୟୟ ପ୍ରତିରୋଧ ଓଡ଼ିଶା ଗଠନ କରିବା ଦିଗରେ ମଧ୍ୟ ବିଶ୍ୱସ୍ତରୀୟ ମାନକ ସୃଷ୍ଟି କରିବା ଆବଶ୍ୟକ ।”
ଏଥିଲାଗି ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ତିନୋଟି ବିଷୟ ଯଥା ବିଦ୍ୟୁତ ଭିତ୍ତିଭୂମି, ବାସଗୃହ ଏବଂ ଟେଲି ଯୋଗାଯୋଗ ଉପରେ ଆଲୋକପାତ କରିଛନ୍ତି ।
Undertook aerial survey of areas that faced unprecedented devastation by #CycloneFani with PM Shri @narendramodi ji & appraised him of the steps taken by #Odisha prior to & aftermath of the cyclone which has affected more than 1 crore persons in 46 towns & 14,835 villages pic.twitter.com/NRG1JpzYXb
— Naveen Patnaik (@Naveen_Odisha) May 6, 2019
ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ କହିଥିଲେ, ୨୦୧୩ ରେ ଓଡ଼ିଶା ଫାଇଲିନ ପରି ବାତ୍ୟାର ସମ୍ମୁଖୀନ କରିଥିଲା । ୨୦୧୪ରେ ହୁଡ଼ହୁଡ଼, ୨୦୧୫ରେ ମରୁଡ଼ି, ୨୦୧୮ରେ ତିତଲି ବାତ୍ୟା ଏବଂ ୨୦୧୯ରେ ବାତ୍ୟା ଫନି ପରି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଅର୍ଥନୀତିକୁ ପ୍ରଭାବିତ କରିଆସୁଛି । ଏହିସବୁ ବିପର୍ଯ୍ୟୟର ମୁକାବିଲା ଏବଂ ପୁନର୍ଗଠନ ପାଇଁ ରାଜ୍ୟ ସରକାରଙ୍କୁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ଯାହାଦ୍ୱାର ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ମଧ୍ୟ ହ୍ରାସ ଘଟୁଛି । ଅନ୍ୟଥା ଓଡ଼ିଶାର ବିକାଶ ଆହୁରି ଦ୍ରୁତ ହୋଇପାରନ୍ତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତେଣୁ ଏହିସବୁ ଲଗାତର ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।
Comments are closed.